ବିପଦ ସାଜିଛନ୍ତି ବେଙ୍ଗଲ ଫେରନ୍ତା, ଗଳାବାଟକୁ ବନ୍ଦ କଲା ପୋଲିସ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୩୭ଟି ରାସ୍ତାକୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି। ଗାଡ଼ି ଚଳାଚଳ କରିପାରୁଥିବା ୩୭ଟି ରାସ୍ତାରେ ବ୍ୟାପକ ପୋଲିସ ମୁତୟନ ସହ ବନ୍ଦ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଏହିସବୁ ସଂଯୋଗ ପଥରେ ବ୍ୟାରିକେଡ୍ ଲଗାଯାଇଛି କେତେକ ରାସ୍ତାରେ ବାଉଁଶ ବାନ୍ଧି ବନ୍ଦ କରାଯାଇଛି। ସେହିପରି ମୟୂରଭଞ୍ଜରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୨୨ଟି ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି।

କରୋନାର କରିଡର୍ ସାଜିଥିବା ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ବିପଦ ସାଜିଛନ୍ତି ବେଙ୍ଗଲ ଫେରନ୍ତା। ଲକଡାଉନ୍ ପରଠୁ କିଏ ଗଳାବାଟ ଦେଇ ତ ଆଉ କିଏ ମୁଖ୍ୟରାସ୍ତା ବାଟେ ଲୁଚାଛପାରେ ଚାଲି ଆସିଛନ୍ତି ଏସବୁ ଜିଲ୍ଲାକୁ।

ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ୩ ଜିଲ୍ଲାକୁ କରାଗଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍ କରାଯାଇଛି। ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଏହି ୩ଜିଲ୍ଲାକୁ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କିଛି ଦିନ ଧରି ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।

ସୀମା ସିଲ୍‌ ସତ୍ତ୍ୱେ ବି ବିଭିନ୍ନ ଗଳାବାଟ ଦେଇ ଲୋକେ ରାଜ୍ୟ ଭିତରକୁ ପ୍ରବେଶ କରୁଛନ୍ତି। ବିଶେଷ କରି ଭଦ୍ରକ, ବାଳେଶ୍ୱର ଓ ଯାଜପୁରରେ ଆକ୍ରାନ୍ତ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରେ ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଫେରନ୍ତା ବୋଲି କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଥିଲେ। ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖା ୮୯ରେ ଛୁଇଁଛି।

ଯାହାକୁ ନେଇ ଚିନ୍ତା ବଢୁଥିବାବେଳେ ଆଶୁ ପଦକ୍ଷେପ ପାଇଁ ୩ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତେବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବ ନୁହେଁ ବୋଲି କହି ହାତ ଟେକି ଦେଇଥିବା ରାଜ୍ୟ ସରକାର ସୀମାର ଛୋଟବଡ଼ ଏଣ୍ଟ୍ରି ପଏଣ୍ଟରେ କଡ଼ା ଯାଞ୍ଚକୁ ଗୁରୁତ୍ୱ ଦେଇଛନ୍ତି।

You might also like