ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ଘୋଷଣା

ଉପକୃତ ହେବେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ

  • ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ
  • ମେ ମାସରୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ମେ ଓ ଜୁନ୍ ମାସ ପାଇଁ ହିତାଧିକାରୀ ଅତିରିକ୍ତ ୫ କେଜି ଲେଖାଏଁ ପାଇବେ
  • ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ
  • ଅତିରିକ୍ତ ଚାଉଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ
  • କୋଭିଡ୍ ପରିଚାଳନା ପାଇଁ ବିଏମସିକୁ ୧୦ କୋଟି ମଂଜୁର
  • ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ କୋଟି ଟଙ୍କା ମଂଜୁର

ଭୁବନେଶ୍ୱର : କୋଭିଡ୍ ପରିଚାଳନା ପାଇଁ ବିଏମସିକୁ ୧୦ କୋଟିର ପ୍ୟାକେଜ୍ । କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଭଲ ଖବର । ଆସନ୍ତା ମେ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇଦେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି । ମେ ଏବଂ ଜୁନ୍ ଦୁଇ ମାସ ପାଇଁ ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ପାଞ୍ଚ କିଲୋ ଲେଖାଏଁ ଚାଉଳ ପାଇବେ । ଏହାଦ୍ୱାରା ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ରାଜ୍ୟ ସରକାର । ତେଣେ ରାଜଧାନୀରେ କୋଭିଡ୍ ପରିଚାଳନା ପାଇଁ ବିଏମସିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ସେହିପରି ରାଜ୍ୟରେ କରୋନାର ହୁ ହୁ ସଂକ୍ରମଣ ରୋକିବାକୁ ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତା ମେ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରେ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବି ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ବ୍ୟବସାୟୀ ସଂଘର ନିଷ୍ପତ୍ତିକ୍ରମେ ଆସନ୍ତା ସୋମବାର ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରଠାରୁ ତା ପରଦିନ ସକାଳ ଯାଏଁ ଦୋକାନ ବନ୍ଦ ରହିବ ।

ସେପଟେ ଗତକାଲି ରାଜ୍ୟରେ ପହଞ୍ଚିଲା ଓଡ଼ିଶା କିଣିଥିବା ଦେଢ଼ ଲକ୍ଷ କୋଭାକ୍ସିନ୍ ଡୋଜ୍ । ଗତକାଲି ରାତି ୯ଟାରେ ଏହି ଟିକା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଆସନ୍ତା ୩ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ଉର୍ଦ୍ଧ୍ୱ ବର୍ଷ ବୟସ୍କଙ୍କୁ ଏହି ଟିକା ଦିଆଯିବ । ତେବେ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେବ ଟିକାକରଣ ଆଜି ଠାରୁ କିଛି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ଟିକା ଦିଆଯିବ ।

 

You might also like