ନିଆଳୀ: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ସରକାରଙ୍କ ଯୋଜନାର ସୁଫଳ। ଫୋନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଏବେ ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ହିତାଧିକାରି। କଟକ ଜିଲ୍ଲା ନିଆଳୀ ବ୍ଲକ ଅଂଚଳରେ ବହୁ ଗରିବ ପରିବାର ଭୋଗୁଛନ୍ତି ଏହି ସମସ୍ୟା। ତହସିଲ ପକ୍ଷରୁ ଆରଆଇମାନେ ଗାଁକୁ ଗାଁ ବୁଲି ତଦନ୍ତ କରିଥିଲେବି ଏଥିରେ ପାତର ଅନ୍ତର ହୋଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।
ତାଲିକାରେ ନାଁ ଉଠିବା ପରେ ପୁଣି କଟିଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ଫଳରେ ଘର ତ ମିଳିନି, ମରାମତି ପାଇଁ ବି ପାଖରେ ଅର୍ଥ ନହେବାରୁ ଭଙ୍ଗାଘରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି ବହୁ ହିତାଧିକାରୀ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେବି ମିଳିପାରୁନି କୌଣସି ସୁବିଧା।
ସେପଟେ କଟକ ଜିଲ୍ଲା ଟାଙ୍ଗି କୋଟସାହି ପଞ୍ଚାୟତ କନ୍ଦରକଣା ଗାଁରେ ବି ସମାନ ସମସ୍ୟା ଭୋଗୁଛନ୍ତି ସଂଯୁକ୍ତା ସ୍ୱାଇଁ। ପାଖରେ ଟଙ୍କା ନଥିବାରୁ ଘର ମରାମତି କରିନପାରି ଦଦରା ଘରେ ଜରିପାଲ ଦେଇ ପରିବାରର ୬ ପ୍ରାଣୀ କୁଟୁମ୍ବ ରହୁଛନ୍ତି। ସଂଯୁକ୍ତାଙ୍କ ଅଭିଯୋଗ, ଫୋନି କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିଥିବାବେଳେ ତାଙ୍କୁ କିଛି ମିଳିନାହିଁ। ସଂଯୁକ୍ତାଙ୍କ ସ୍ୱାମୀ ଜଣେ ଦିନମଜୁରିଆ ହୋଇଥିବାରୁ ଏବେ ଅର୍ଥାଭାବ ବି ଅନେକ।
ସେପଟେ କାହିଁକି ତାଙ୍କ ନାଁ ଫୋନି କ୍ଷତିଗ୍ରସ୍ତ ତାଲିକାରୁ କଟିଗଲା ସେନେଇ କ୍ଷୋଭ ପ୍ରକାଶ କରିଛନ୍ତି ସଂଯୁକ୍ତା। ଟାଙ୍ଗୀ ବିଡିଓ କହିଛନ୍ତି, ଦରଖାସ୍ତ ଦେଲେ ଘର ପାଇଁ ବ୍ୟବସ୍ଥା କରାଯିବ।