ମାଗଣାରେ ରନ୍ଧା ଖାଦ୍ୟ ଖାଇବେ ବାସହରା ଓ ଭିକାରୀ

ଭୁବନେଶ୍ୱର: ସହରରେ ଥିବା ଭିକାରୀ, ବେସାହାରା, ବାସହରା ଓ ଖାଇବାକୁ ପାଉନଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆହାର କେନ୍ଦ୍ର ବନ୍ଦ ହୋଇଯିବା ପରେ ଏମାନଙ୍କ  ଦୁଇ ମୁଠା ଖାଇବା ବି କଷ୍ଟକର ହୋଇପଡ଼ିଥିଲା।

ଚିଠିରେ ଜଣାଯାଇଛି ଯେ ‘କୋଭିଡ-୧୯’ ଯୋଗୁଁ ସମଗ୍ର ରାଜ୍ୟବ୍ୟାପୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଏହି କାରଣରୁ ସହରାଞ୍ଚଳର ବାସହରା ଲୋକମାନେ ଖାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେହି ଲୋକମାନଙ୍କର ସମସ୍ୟାର ସମାଧାନ କରିବା ହେଉଛି ସରକାରଙ୍କ ଦାୟିତ୍ୱ।

ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳଗୁଡ଼ିକରେ ରହୁଥିବା ବାସହରା, ବେସାହାରା, ଭିକାରୀମାନଙ୍କୁ ଉଭୟ ଦିନ ଓ ରାତି ଦୁଇବେଳା ମାଗଣା ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ ଓ ପ୍ୟାକେଟ୍ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନଙ୍କୁ ମଧ୍ୟ ମାଗଣା ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଏହି ରନ୍ଧା ଖାଦ୍ୟ ପାଇଁ ଖର୍ଚ୍ଚ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ନିଜ ଜିଲ୍ଲାରେ ଥିବା ବିଭିନ୍ନ ମହାନଗର ନିଗମ, ମ୍ୟୁନିସପାଲଟି ଓ ଏନଏସିରେ ରହୁଥିବା ବାସହରାଙ୍କ ପାଇଁ ମାଗଣା ଦୁଇଓଳି ଖାଦ୍ୟ ଯୋଗାଣର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲାପାଳମାନେ ଏବେ ରେଡକ୍ରସ୍ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟବ୍ୟାପୀ ଲକଡାଉନ୍ ଯୋଗୁ ଭିକାରୀ, ବେସାହାରା ଓ ନିଷ୍ପେଷିତ ଲୋକମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି। ଦୁଇଓଳି ଖାଦ୍ୟ ସେମାନଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ପାଲଟିଛି।

You might also like