ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ପୌରାଞ୍ଚଳର ୩୦ ନଂ ୱାର୍ଡରେ ପରିବାର ସହ ବାସ କରନ୍ତି କାର୍ତ୍ତିକ ନାଥ। ଜନ୍ମରୁ ଦିବ୍ୟାଙ୍ଗ। ଗୋଟିଏ ଗୋଡ଼ କାମ କରୁନଥିବାରୁ ଟ୍ରାଇ ସାଇକେଲ୍ ତାଙ୍କର ଏକ ମାତ୍ର ସାଥୀ। କାମ କରିବାରେ ସକ୍ଷମ ହେଉନଥିବାରୁ ଭଦ୍ରକ ଟାଉନ୍ର ବିଭିନ୍ନ ଅଞ୍ଚଳରେ ବୁଲି ଭିକ୍ଷାବୃତ୍ତି କରୁଛନ୍ତି। ସେଥିରୁ ଯାହା ମିଳେ, ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ୭ ପ୍ରାଣୀ କୁଟୁମ୍ୱ। ଏବେ ପିଲାମାନେ ବଡ଼ ହେଲେ ମଧ୍ୟ କାର୍ତ୍ତିକ ଭିକ୍ଷା ବୃତ୍ତିଠାରୁ ଦୂରେଇ ପାରି ନାହାନ୍ତି। ପ୍ରତିଦିନ ସକାଳେ ଉଠି ନିଜର ସାଥୀ ଟ୍ରାଇ ସାଇକେଲ୍ରେ ବସି ଭିକ୍ଷାବୃତ୍ତି କରୁଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ଭଦ୍ରକ ସହରରେ ଅନେକ ଭିକାରୀ ଅଛନ୍ତି, ତାହାହେଲେ କାର୍ତ୍ତିକଙ୍କୁ ନେଇ ଚର୍ଚ୍ଚା କାହିଁକି? ପ୍ରକୃତରେ କଥାଟି ହେଉଛି, ଗତକାଲି କାର୍ତ୍ତିକ ନିଜର ଟ୍ରାଇ ସାଇକେଲ୍ରେ ବକେୟା ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ଗତକାଲି ଆସିଥିଲେ। ସେ ନିଜର ବକେୟା ବିଦ୍ୟୁତ ବିଲ ବାବଦକୁ ୨୫୫୭ ଟଙ୍କା ଭିତରୁ ୨୦୦୦ ଟଙ୍କା ପୈଠ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ବିଦ୍ୟୁତ୍ ବକେୟା ଟଙ୍କା ଦେବାକୁ ଯାଇଥିବା କହୁଛନ୍ତି। ପରବର୍ତ୍ତୀ ସମୟରେ ପ୍ରତି ମାସ ବିଦ୍ୟୁତ ବିଲ୍ ପୈଠ କରିବେ ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି।
ନେସ୍କୋ ହେଡ କ୍ଲର୍କ ପ୍ରତାପ ଖିଲାର କହିଛନ୍ତି,“ଗତକାଲି କାର୍ତ୍ତିକ ନାଥ ନାମକ ଜଣେ ଭିକାରୀ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଆସିଥିଲେ। ସେ ଭିକ୍ଷା ବୃତ୍ତି କରି ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି। ଯାହାକି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।”