ଇୱେଷ୍ଟକୁ ବ୍ୟବହାର କରି ନିର୍ମାଣ ହୋଇଛି ଆଖି ଝଲସିଲା ଭଳି କଳାକୃତି

ଲୁହା ସ୍କ୍ରାପକୁ ନୂଆ ରୂପ ଦେଉଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ

  • ଅଦରକାରୀ ବସ୍ତୁରେ ଅଭୂତପୂର୍ବ କଳାକୃତି
  • ବୃଦ୍ଧି ପାଉଛି ଇ ୱେଷ୍ଟ  ବା ଇଲେକଟ୍ରୋନିକ୍ସ ବର୍ଯ୍ୟବସ୍ତୁ 
  • ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରୁଛି ଇ ୱେଷ୍ଟ
  • ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ   

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ଦିନକୁ ଦିନ ବଢୁଛି ଇଲେକଟ୍ରୋନିକ୍ସ ସାମଗ୍ରୀର ଚାହିଦା । ଫଳରେ ବୃଦ୍ଧି ପାଉଛି ଇ ୱେଷ୍ଟ ବା ଇଲେକଟ୍ରୋନିକସ୍ ବର୍ଯ୍ୟବସ୍ତୁ,  ଯାହା ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରିବାରେ ଲାଗିଛି ।  କିନ୍ତୁ ଇୱେଷ୍ଟକୁ ବାହାରେ ନଫିଙ୍ଗି ଏଥିରୁ ସୁନ୍ଦର କଳାକୃତି ତିଆରି କରି ସଚେତନତାର ବାର୍ତା ବାଣ୍ଟୁଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ଖାଲି ସଚେତନତା ନୁହେଁ ନିଜେ ବି ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଇୱେଷ୍ଟରେ ରୋବଟଠୁ ନେଇ ହକି ଖେଳାଳି, ପେନ୍ ଷ୍ଟାଣ୍ଡ, ଫୁଳ ଭଳି ଅତି ଆକର୍ଷଣୀୟ ନିଖୁଣ କଳାକୃତି । ଆଖି ଝଲସିବା ଭଳି କଳାକୃତିରେ ଝଲସୁଛି ବ୍ରହ୍ମପୁର । ଆଇଟିଆଇର ଇୱେଷ୍ଟର କଲେକସନ୍ ସେଣ୍ଟରର ସ୍ୱତନ୍ତ୍ରତା ହେଉଛି ସମସ୍ତ କ୍ରାଫ୍ଟ ତିଆରି ହୋଇଛି ଇଲେକଟ୍ରିକାଲ୍ ଓ ଇଲେକଟ୍ରୋନିକ୍ସ ୱେଷ୍ଟରୁ  । ଅଦରକାରୀ ଟିଭି, ମୋବାଇଲ୍, କମ୍ପ୍ୟୁଟର୍, କିବୋର୍ଡ, ସିଡି, ଇଲେକଟ୍ରୋନିକସ୍ ଖେଳନା ଆଦିରୁ ଏହାକୁ ତିଆରି କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ । ଆଗକୁ ଇୱେଷ୍ଟରୁ ୩୦ ଫୁଟ୍ ଉଚର ରୋବଟ୍ ତିଆରି ପାଇଁ ଯୋଜନା ଚାଲିଛି । ଆଉ ଖାସ୍ ଏଥିପାଇଁ ଖୋଲିଛି ଇୱେଷ୍ଟ କଲେକ୍ସନ ସେଣ୍ଟର ।

ଇୱେଷ୍ଟ ଆମ ସମାଜ ତଥା ବିଶ୍ୱର ପ୍ରଧାନ ଶତ୍ରୁ ଭାବେ ଛିଡ଼ା ହୋଇଛି । ଦିନକୁ ଦିନ ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂଆ ନୂଆ ଗ୍ୟାଜେଟ୍ ବ୍ୟବହାର କରିବାର ରେସ୍ ଲାଗିଛି । ଫଳରେ ବର୍ଯ୍ୟବସ୍ତୁ ମଧ୍ୟ ବଢ଼ି ବଢ଼ି ଚାଲିଛି । ସେସବୁ ଜିନିଷ ନଷ୍ଟ ହେଉନଥିବା ବେଳେ ଏହା  ପରିବେଶକୁ ଅତ୍ୟଧିକ ଦୂଷିତ କରିଦିଏ । ଆଉ ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ଛୋଟିଆ ଅନୁଷ୍ଠାନ ଗଢ଼ାଯାଇଛି ।  ଫଳରେ ଛାତ୍ରଛାତ୍ରୀଙ୍କୁ ନୂଆ ଦକ୍ଷତା ମିଳିବା ସହ ଏହାକୁ କ୍ୟାରିୟର କରି ଭଲ ରୋଜଗାର ବି କରିହେବ ବୋଲି ଆଇଟିଆଇ ଅଧ୍ୟକ୍ଷ କହିଛନ୍ତି ।

ବ୍ରହ୍ମପୁର ଆଇଟିଆଆଇ ପରିସରରେ ଥିବା ଓପନ୍ ସ୍କାଏ ସ୍କ୍ରାପ୍ ପାର୍କରେ ପୂର୍ବରୁ ଲୁହା ସ୍କ୍ରାପରୁ ତିଆରି ବିଭିନ୍ନ କଳାକୃତି ସମସ୍ତଙ୍କ ମନ ଜିଣିଥିଲା ।  ଆଇରନ୍ ମ୍ୟାନ, ଗିଟାର, ଜିରାଫ, ଝିଟିପିଟିଠୁ ନେଇ ରାଜ୍ୟ ଓ ଦେଶର ମାନଚିତ୍ରକୁ ନିଖୁଣ ଭାବେ ପ୍ରସ୍ତୁତ କରିଥିଲେ ଛାତ୍ରଛାତ୍ରୀ  । ଉଦ୍ଦେଶ୍ୟ ଥିଲା ଇୱେଷ୍ଟରୁ ପରିବେଶକୁ ସୁରକ୍ଷା ଦେବା ଓ ସମାଜରେ ସଚେତନତା ବଢାଇବା ।

 

You might also like