ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ ପରିସର ; ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ

ନବରଙ୍ଗପୁର( ନବଘନ ବିଷୋୟୀ): ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ।  ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ନିର୍ମାଣ ହୋଇଛି ବଗିଚା।  ଯାହା ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ ସୃଷ୍ଟି କରିଛି।

ବିଦ୍ୟାଳୟର ଚାରିପଟେ ଶ୍ରେଣୀ ଗୃହ। ମଝିରେ ପ୍ରାୟ ୧୦ ଡିସିମିଲ୍‌ ଜମିରେ ବଗିଚା। ଫାଇକସ, ଡାଇଫେନରିଆ, ଭଳି ଶତାଧିକ କ୍ରୋଟନ ଗଛ ସାଙ୍ଗକୁ ମଲ୍ଲୀ, ସୁଗନ୍ଧରାଜ, ଗୋଲାପ, ପୁଟେନିଆ,ଆଲମଣ୍ଡା ଭଳି ଫୁଲ ଗଛ ଲାଗିଛି।  ଔଷଧୀୟ ଗଛ ସାଙ୍ଗକୁ କୁତ୍ରିମ ପାହାଡ଼ିଆ ଅଞ୍ଚଳ ଓ ମରୁଭୁମି ଅଞ୍ଚଳର ଭ୍ରମ ସୃଷ୍ଟି କରୁଛି ଏହି ବଗିଚା।

ଜାଗା ଅଭାବରୁ କାନ୍ଥରେ ନାନା ରକମର ଗଛ ଗୁଡିକୁ ପ୍ଲାଷ୍ଟିକ ଡବା ଓ ବୋତଲରେ ଲଗାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଭଙ୍ଗା ସ୍ଲାବ, ଚେୟାର ଓ କାଚବୋତଲକୁ ରଙ୍ଗ ଦେଇ କାମରେ ଲଗାଯାଇଛି। ପାର୍କର ଭ୍ରମ ସୃଷ୍ଟି କରୁଥିବା ଏମିତି ଦୃଶ୍ୟ ନବରଙ୍ଗପୁର ନନ୍ଦାହାଣ୍ଡି ଜଗନ୍ନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଛି। ବିଦ୍ୟାଳୟର ସବୁଜିମା ପରିବେଶ ପାଇଁ ୨୦୧୮ ମସିହାରେ  ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ମିଳିଛି।

ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁଙ୍କ ଚେଷ୍ଟାରେ ଏଭଳି ଆକର୍ଷଣୀୟ ବଗିଚା ଗଢି ଉଠିଛି। ପିଲାଙ୍କ ପାଠ ପଢାରେ ପ୍ରାଧାନ୍ୟ ଦେବା ସହିତ ସ୍କୁଲ ପରିବେଶକୁ ସବୁଜ ସୁନ୍ଦର କରିବାରେ ଲାଗିପଡିଛନ୍ତି ଗଣେଶ।  ବିଦ୍ୟାଳୟରେ କୌଣସି ପିଅନ୍ କି କ୍ଲର୍କ ନଥିବାରୁ ନିଜେ ଅବସର ସମୟରେ ଏହି ବଗିଚାର ଯତ୍ନ ନେଇଥାନ୍ତି। ଏମିତିକି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷକମାନେ ବି ତାଙ୍କୁ ସହଯୋଗ କରିଥାନ୍ତି ବୋଲି କହିଛନ୍ତି ଶିକ୍ଷକ ଗଣେଶ।

ଦିନକୁ ଦିନ ପରିବେଶ ବଦଳିବା ସହ ଗଛଲତା ଲୋପ ପାଇବାରେ ବସିଛି।  ଫଳରେ ପରିବେଶ ସନ୍ତୁଳନ ହରାଇ ବସୁଛି। ତେଣୁ ପିଲାଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

You might also like