ଏଟିଏମ୍ରୁ ଟଙ୍କା ଉଠାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ !
ଅନୁଗୁଳ: ଏଟିଏମ୍ରୁ ଟଙ୍କା ଉଠାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇପାରେ ଟଙ୍କା। ଏଟିଏମ୍ କାର୍ଡର ତଥ୍ୟ ନେବା ଉଦ୍ଦେଶ୍ୟରେ ଏଟିଏମ୍ ଭିତରେ ସିକ୍ରେଟ କ୍ୟାମେରା ଲାଗିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡି଼ଆ ବଜାରରେ ଥିବା SBI ଏଟିଏମ୍ରେ ଏହି ସିକ୍ରେଟ୍ କ୍ୟାମେରା ଲାଗିଥିବା ଅଭିଯୋଗ ହୋଇଛି। ଏଟିଏମ୍ କାର୍ଡରୁ ତଥ୍ୟ ଚୋରି ଉଦ୍ଦେଶ୍ୟରେ ଲାଗିଥିବା ଏହି ସିକ୍ରେଟ୍ କ୍ୟାମେରା ସହ ଆନୁସଙ୍ଗିକ ବ୍ୟବସ୍ଥା ଥିବା ଏକ ବୋର୍ଡ଼କୁ ପୁଲିସ୍ ଜବତ କରିଛି।
କିଛି ବ୍ୟକ୍ତି ଟଙ୍କା ଉଠାଇବା ପାଇଁ ଏହି ଏଟିଏମ୍ ଯାଇଥିଲେ। ତେବେ ଏହି ସମୟରେ ଏଟିଏମ୍ କାର୍ଡ ଭର୍ତ୍ତି କରିବା ବେଳେ କାର୍ଡର ତଥ୍ୟ ନେବା ଉଦ୍ଦେଶ୍ୟରେ ମେସିନରେ କିଛି ଲାଗିଥିବା ନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଏହାପରେ ମେସିନରେ ଏକ ବୋର୍ଡ଼ରେ ଗୋଟିଏ କ୍ୟାମେରା ଲାଗିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏନେଇ ବାଗଡିଆ ଫାଣ୍ଡି ଅଧିକାରୀଙ୍କୁ ଅବଗତ କରାଇଥିଲେ।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଏଟିଏମ୍ କାଉଣ୍ଟରରୁ କ୍ୟାମେରା ଲାଗିଥିବା ବୋର୍ଡ଼କୁ ଜବତ କରିଥିଲା।