ହେଲମେଟ୍ ପିନ୍ଧା ଗ୍ରାହକଙ୍କୁ ସାବଧାନ !

ଖୋର୍ଦ୍ଧା, ଢେଙ୍କାନାଳ: ମାତିଲେ ଲୁଟେରା। ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି।

ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ହୋଇ ଆସିଥିଲେ। ତାଙ୍କ ମୁଣ୍ଡରେ ଥିଲା ହେଲମେଟ୍। ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ।

ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା ଲୁଟେରା ଜଣକ ମହିଳାଙ୍କ ବେକରୁ ସୁନାଚେନ ଛିଡାଇ ଦଉଡି ପଳାଇଥିଲେ। ମହିଳାଙ୍କ ପାଟିଶୁଣି ଆଖପାଖ ଲୋକେ ପହଞ୍ଚିବା ବେଳକୁ ଲୁଟେରା ଜଣକ ଫେରାର ହୋଇଯାଇଥିଲେ।

ଏ ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଛି। ମହିଳା ଜଣକ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ର ତନାଘନା ପରେ ୨ ଜଣଙ୍କୁ ଗିରଫ କରିଛି। ମହିଳାଙ୍କ ଠାରୁ ଚେନ୍ ଝାମ୍ପି ନେଇଥିବା ବ୍ୟକ୍ତି ଜଟଣୀରୁ ଗିରଫ ହୋଇଥିବା ବେଳେ ଚେନ୍‌କୁ କିଣିଥିବା କଟକର ଆଉ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛି।

ସେହିପରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ହୋଇଛି ବାଇକ ଚୋରି। ଏହି ଚୋରିର ଲାଇଭ୍ ଭିଡିଓ ସିସିଟିଭିରେ କଏଦ ହୋଇଛି। ବାରମ୍ବାର ଉଦ୍ୟମ ପରେ ଶେଷରେ ମେଡିକାଲ ପରିସରରେ ଥିବା ବାଇକ ଚୋରି କରିବାରେ ସଫଳ ହୋଇଛି ଦୁର୍ବୃତ୍ତ।

ଚୋରର କାରନାମା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବାଇକ ମାଲିକ ଏନେଇ ଢେଙ୍କାନାଳ ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି।

ବାଇକ୍ ଚୋରିର ଦୃଶ୍ୟ ସିସିଟିଭିରେ କଏଦ:-

You might also like