ମିଛ ବିଜ୍ଞାପନକୁ ସାବଧାନ ! କାଗଜ ଦେଖାଇ ଟଙ୍କା ପୋଛିନେଲେ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନକଲି ସନ୍ତକ କରି ଆଟେଣ୍ଡାଣ୍ଟ ପଦବୀ ପୂରଣ ନେଇ ସ୍ପଷ୍ଟ କଲେ ସିଡିଏମଓ। ଜଣେ ବ୍ୟକ୍ତି ଏହି ଜାଲ ଦସ୍ତଖତ ଜରିଆରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଆଟେଣ୍ଡାଣ୍ଟ ପଦବୀ ଲାଗି ବିଜ୍ଞାପନ ଦେବା ସହ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଧରାପଡିବା ପରେ ସିଡିଏମଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି।

ସେପଟେ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଏ ନେଇ ପଚାରିବାରୁ ସେମାନେ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରିବା ସହ ସ୍ୱାସ୍ଥ୍ୟ ବିଭାଗର ନିରଜ ନାମକ ବ୍ୟକ୍ତି ତାଙ୍କ ଠାରୁ ଟଙ୍କା ନେଇ ଏଭଳି ନିଯୁକ୍ତି ପତ୍ର ଦେଇଥିବା କହିଛନ୍ତି। ସେପଟେ ପୋଲିସ ଏ ନେଇ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ଏଭଳି ଘଟଣା ପଦାକୁ ଆସିବା ପରେ ଜିଲ୍ଲାବାସୀଙ୍କୁ ସଜାଗ ହେବା ପାଇଁ କହିଛନ୍ତି ସିଡିଏମ୍ଓ।

ମୁଁ ସିଡିଏମ୍‌ ହୋଇ ଯୋଗ ଦେବା ପରେ ମୋ ପାଖକୁ ୨ଟି ଅଭିଯୋଗ ଆସିଛି। ମୋର ଦସ୍ତଖତକୁ ନକଲି କରି ୨ଟି ଫେକ୍‌ ବିଜ୍ଞାପନ ବାହାର କରାଯାଇଛି, ଯେଉଁଥିରେ ମେଡିକାଲ ଆଟେଣ୍ଡାଣ୍ଟ ପାଇଁ ପୋଷ୍ଟ ବାହାରିଥିଲା। ଏହି ମିଛ ବିଜ୍ଞାପନକୁ ଦେଖି ୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଯୁକ୍ତି ପତ୍ର ନେଇ ସିଡିଏମ୍‌ଓ ଅଫିସ୍‌ରେ ଜଏନ୍ କରିବାକୁ ଆସିଥିଲେ। କିନ୍ତୁ ଅଫିସ୍‌ର କର୍ମଚାରୀ ଏହାକୁ ଫେକ୍‌ ଜାଣିବା ପରେ ମୋତେ ତୁରନ୍ତ ଖବର ଦେଇଥିଲେ। ଏହି ଘଟଣା ଜାଣିବା ପରେ ମୁଁ ନବରଙ୍ଗପୁର ପୋଲିସଙ୍କୁ ଜଣାଇଥିଲି। କେହି ବୋଧେ ଠକିବା ଉଦ୍ଦେଶ୍ୟରେ ଏଭଳି କାମ କରିଥାଇପାରନ୍ତି। ତେବେ ମୋର ଫେକ୍‌ ଦସ୍ତଖତ କରି ଏଭଳି କାମ କରୁଥିବା ସେଇ ଭଦ୍ର ଲୋକଟିକୁ ମୁଁ ଦେଖିବାକୁ ଚାହୁଁଛି।
-ଡାକ୍ତର ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ନବରଙ୍ଗପୁର  

ତେବେ ଚାକିରି ଠକେଇ କରିବା କିଛି ନୂଆ କଥା ନୂହେଁ। କିନ୍ତୁ ଫେକ୍‌ ଦସ୍ତଖତ କରି ନିଯୁକ୍ତି ସୃଷ୍ଟି କରିବା ଠକିବାର ଟ୍ରେଣ୍ଡରେ ପରିଣତ ହେଲାଣି। ନିଯୁକ୍ତି ବିଜ୍ଞାପନ ଦେଖି କୌଣସି ପଦ୍‍ଏପ ନେବା ପୂର୍ବରୁ ଭଲଭାବେ ପରଖିବା ଉଚିତ୍।  କିଛି ଦିନ ତଳେ ଚାକିରି ନିଯୁକ୍ତି ଆଳରେ ଠକେଇ କରିବା ଅଭିଯୋଗରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି।

ଟାଟାରେ ଚାକିରି କରାଇଦେବାକୁ କହି ଆକାଶ ବହୁ ଯୁବକ ଯୁବତୀଙ୍କୁ ଠକିଥିବା ତାଙ୍କ  ନାଁରେ ଅଭିଯୋଗ ରହିଛି। ଚାକିରି ଦେବାର ଲୋଭ ଦେଖାଇ ସେ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି ବୋଲି ପୂର୍ବରୁ  ସ୍ପଷ୍ଟୀକରଣ ରଖିଛି ଟାଟା। ଟାଟା ମୋଟର୍ସ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଦୀପ ଭାଲ୍ଲା କହିଥିଲେ ଯେ, ଆକାଶ କୁମାର ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି।  ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ଟଙ୍କା ଆଦାୟ ଅଭିଯୋଗ ଥିଲା। ଏନେଇ କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ହୋଇଥିବା ଭାଲ୍ଲା କହିଥିଲେ। ଟାଟା ନାଁରେ ଆକାଶ ବାଣ୍ଟିଥିବା ନିଯୁକ୍ତିପତ୍ର ସହ ଦସ୍ତଖତର ମେଳକ ହେବ ବୋଲି ଜଣାପଡ଼ିଛି।

You might also like