ସଚେତନ ରୁହ, ସୁପର ସ୍ପ୍ରେଡର୍ ପରି ଲଜ୍ଜିତ ହୁଅନାହିଁ

ଭୁବନେଶ୍ୱର: ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ। ଜଣେ କରୋନା ଆକ୍ରାନ୍ତ ମହିଳା ନିଜ ଦାୟିତ୍ୱହୀନତା ପାଇଁ କିପରି ଅପଖ୍ୟାତି ଅର୍ଜନ କରିଛନ୍ତି, ସେବିଷୟରେ ଉଦାହରଣ ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ସେ ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ କଥା ଜନସାଧାରଣଙ୍କୁ କହିଛନ୍ତି।

ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ୍ ନାମରେ ପରିଚିତ ହେଇଛନ୍ତି। ସେଠାକାର କରୋନା ଆକ୍ରାନ୍ତ ମହିଳା କିଭଳି ସୁପର ସ୍ପ୍ରେଡର ଭାବେ ବିଶ୍ୱବିଦିତ ହୋଇଛନ୍ତି ବାଗଚୀ କହିଥିଲେ। ଜଣଙ୍କଠାରୁ ସାଧାରଣତଃ ୨.୨୪ରୁ ୩.୫୮ଜଣଙ୍କୁ ସଂକ୍ରମଣ ସମ୍ଭାବନା ଥାଏ କିନ୍ତୁ ଦକ୍ଷିଣ କୋରିଆର ସମ୍ପୃକ୍ତ ମହିଳା ୧୧୬୦ ଜଣଙ୍କୁ ସଂକ୍ରମିତ କରିଥିଲେ ଯେଉଁଥିପାଇଁ ତାଙ୍କୁ ପେସେଣ୍ଟ ଥାର୍ଟି ୱାନ୍ ବା ସୁପର ସ୍ପ୍ରେଡରର ଅପଖ୍ୟାତି ମିଳିଛି। ତାଙ୍କ ଭଳି ନହୋଇ ଲୋକଙ୍କୁ ଘରେ ରହିବାକୁ ସେ କହିଛନ୍ତି। ୧୦୪ର ନିର୍ଦ୍ଦେଶ ବିନା ଘରୁ ନାବାହାରିବାକୁ ପରାମର୍ଶ ଦେଇଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ୩ୟ ବ୍ୟକ୍ତି ଜଣକର ସବିଶେଷ ତଥ୍ୟ ଆଜି ବାଗଚୀ ଦେଇଥିଲେ। ଭୁବନେଶ୍ୱରରେ ଚିହ୍ନଟ ତୃତୀୟ ପଜିଟିଭ ବ୍ୟକ୍ତିଙ୍କୁ ନିରୀକ୍ଷଣରେ ରଖାଯାଇଛି। ତାଙ୍କର ଜ୍ୱର ଅଛି ଓ କାଶ ହେଉଛି। ତାଙ୍କ ସଂସ୍ପର୍ଶରେ ଯେତେସବୁ ଲୋକ ଆସିଛନ୍ତି, ସେମାନଙ୍କୁ ଜଣ ଜଣ କରି ଖୋଜା ଚାଲିଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ। ଓଡ଼ିଶାରେ ଆଜି ସୁଦ୍ଧା ୨୫୬ ନମୁନା ସଂଗୃହୀତ ହୋଇଛି। ସେଥିମଧ୍ୟରୁ ୧୮୯ଟି ପରୀକ୍ଷା ହୋଇଥିବା ବେଳେ ୩ଟି ପଜିଟିଭ୍ ଆସିଛି। ପୂର୍ବରୁ ଚିହ୍ନଟ ୨ଜଣ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଅଛି। ସେମାନେ ହସ୍ପିଟାଲ ଖାଦ୍ୟ ଖାଉଛନ୍ତି।

You might also like