ଭୋଟ ବେଳେ ନେତା ଦେଉଛନ୍ତି ଗଦା ଗଦା ପ୍ରତିଶ୍ରୁତି ; ହେଲେ ବଦଳୁନି ଗାଁ ଲୋକଙ୍କ ଭାଗ୍ୟ

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) / ନୂଆପଡ଼ା( ମାୟାଧର ସରାଫ) : ଗାଁ ବିକାଶରେ ଦେଶରେ ବିକାଶ। ଏ ଚିନ୍ତାଧାରା ଆଜିର ନୁହେଁ, ବହୁ ପୁରୁଣା। ହେଲେ ଏ ନାରା ଦେଉଥିବା ନେତା ଓ ଶାସନ ପ୍ରଶାସନର ନଜର ଆଢୁଆଳରେ ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ବି ପଡ଼ିନି ବିକାଶର ପାଦଚିହ୍ନ।

ସରକାରଙ୍କ ସବୁ ଉନ୍ନୟନମୂଳକ ଯୋଜନା, ସବୁ ସୁବିଧା ସୁଯୋଗରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହୁଛନ୍ତି ଗରିବ ଖଟିଖିଆ ମଣିଷ। ଭୋଟରଙ୍କ ମୁଦ୍ଦାରେ ଅପହଞ୍ଚ ଗାଁର ସମସ୍ୟା ନେଇ କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଏହି ରିପୋର୍ଟ।

କୋରାପୁଟ ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ୧୫ କିଲୋମଟିର ଦୂର ମହାଦେଇପୁର ପଞ୍ଚାୟତର ଲାଲଗୁଡ଼ା ଗାଁ ସଦର ମହକୁମା ଠାରୁ ପାଖରେ ଥିଲେ ବି ଯେମିତି ସବୁ ସରକାରୀ ଯୋଜନା ଓ ସୁବିଧା ସୁଯୋଗରୁ ବଞ୍ଚିତ ଏ ଗାଁ।

ଦୀପ ତଳ ଅନ୍ଧାର ଭଳି ଏ ଗାଁକୁ ଆଜି ଯାଏଁ ସ୍ଥାୟୀ ରାସ୍ତାଟିଏ ନାହିଁ। ଗାଁ ଲୋକେ କୌଣସି କାମରେ ବାହାରକୁ ବାହାରିଲେ ଏମିତି ଅବସ୍ଥାରେ ହିଁ ଯା’ଆସ କରନ୍ତି। ପିଇବା ପାଣିର ସୁବିଧା ଆଦୌ ନାହିଁ। ଗାଁର ଭବିଷ୍ୟତ ପିଢି ପାଇଁ ଅଙ୍ଗନବାଡ଼ି କେନ୍ଦ୍ର କି ସ୍କୁଲଟିଏ ବି ଖୋଲିନି। ବିଜୁ ପକ୍କାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହେଲେ ହିତାଧିକାରୀ ନଥିବା ବେଳେ ସରକାରଙ୍କ ଅନ୍ୟ ଉନ୍ନୟନ ମୂଳକ ଯୋଜନାରେ ସମ୍ପର୍କରେ ସେମାନଙ୍କର ଧାରଣା ହିଁ ନାହିଁ।

ନୂଆପଡ଼ା ଜିଲ୍ଲା ଖରିଆର ବ୍ଲକ୍ କୋଟାମାଳ ଗାଁର ମଧ୍ୟ ଏମିତି ଅବସ୍ଥା। ଏଠାରେ ରୁହନ୍ତି ୧୦୦ରୁ ଅଧିକ ପରିବାର। ହେଲେ ବର୍ଷର ଅଧିକାଂଶ ସମୟରେ ଖାଁ ଖାଁ ଲାଗେ ଗାଁର ପରିବେଶ। କାରଣ ଗାଁ ଲୋକଙ୍କ ହାତକୁ କାମ କି ଜମିକୁ ପାଣିର ସୁବିଧା ନଥିବାରୁ ଦାଦନ ଖଟିବା ହିଁ ଏମାନଙ୍କ ମୁଖ୍ୟ ବେଉଷା। ପେଟ ପୋଷିବାକୁ ପିଲାଛୁଆ ଧରି ଗାଁର ପ୍ରାୟ ସବୁ ପରିବାର ବାହାର ରାଜ୍ୟକୁ ଚାଲିଯାଉଥିବାରୁ କାହା ଘରେ ସବୁ ଦିନ ପାଇଁ ତାଲା ପଡ଼େ ତା ଆଉ କାହା ଘରେ ପଡ଼ି ରହିଛନ୍ତି ବୁଢ଼ା ବାପା ମାଆ। ଗାଁ ଲୋକଙ୍କ ଅଭିଯୋଗ, ଅନେକଙ୍କ ଜମି ଥାଇ ବି ଜଳସେଚନର ସୁବିଧା ନଥିବାରୁ ସେମାନଙ୍କ ପାଇଁ କେବଳ ଦାଦନ ଖଟିବା ବ୍ୟତୀତ ଯେମିତି ଆଉ କିଛି ବିକଳ୍ପ ହିଁ ନାହିଁ।

ଭୋଟ୍ ପରେ ଭୋଟ୍ ଆସୁଛି, ନେତା ବି ଦେଉଛନ୍ତି ଗଦା ଗଦା ପ୍ରତିଶ୍ରୁତି। ହେଲେ ଏଭଳି ଗାଁ ଲୋକଙ୍କ ଭାଗ୍ୟ କିନ୍ତୁ ବଦଳୁନି।

You might also like