କୋରାପୁଟ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମ ରାଜ୍ୟରେ ଏମିତି କିଛି ଗାଁ ଅଛି, ଯେଉଁଠି ପିଚୁ ରାସ୍ତା ତ ଦୂରର କଥା, ଚାଲି ଚାଲି ଯିବା ବି କଷ୍ଟ କର ହୋଇପଡ଼ୁଛି।
ଏହି ଦୁରବସ୍ଥା ହେଉଛି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ର ମୁଣ୍ଡଗଡ଼ତି ସମେତ ଅନ୍ୟ କିଛି ଗ୍ରାମର। ଏଠି ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ। କୋରାପୁଟ୍ର ଏହି ସବୁ ଗାଁକୁ ନେଇ ପଢ଼ନ୍ତୁ ଓ ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ୍ ମୁଣ୍ଡଗଡ଼ତି ଗ୍ରାମରେ ଖଣ୍ଡେ ଭଲ ରାସ୍ତା ନ ଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। କେଉଁଠି ଲୋକେ ପାହାଡ଼ିଆ ମାଟି ରାସ୍ତାରେ ୧୦ କିଲୋମିଟର ଚାଲି ଚାଲି ଟଙ୍କିକିଆ ବିପିଏଲ୍ ଚାଉଳ ଆଣୁଛନ୍ତି ତ କେଉଁଠି ଲୋକେ ନାଳ ପାଣି ପିଉଛନ୍ତି। ଏହି ଘଟଣା ଯେମିତି ମୁଣ୍ଡଗଡ଼ତି ଗ୍ରାମବାସୀଙ୍କ ପାଇଁ ନିତିଦିନିଆ କଥା ହୋଇ ଯାଇଛି।
ଏଠାକାର ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ନା ସେମାନଙ୍କ ପାଖରେ ଭଲ ରାସ୍ତା ଅଛି ନା ଅଛି ପିଇବା ପାଣିର ସୁବିଧା।
ନାଲ୍କୋ ଖଣି ଅଞ୍ଚଳକୁ ଲାଗି ମାତ୍ର ୩ କିଲୋମିଟର ଦୂରରେ ଥିବା ମୁଣ୍ଡଗଡ଼ତି ଗ୍ରାମ ସମେତ ଉପର ଗଡ଼ତି, ମଝି ଗଡ଼ତି, ତଳ ଗଡ଼ତି, କିରାଝୋଲା ଓ ଟଭାପଦର ଗ୍ରାମବାସୀ ବର୍ଷ ବର୍ଷ ଧରି ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ମାତ୍ର ୮ରୁ ୧୦ କିଲୋମିଟର ରାସ୍ତା ନିର୍ମାଣ ହେଲେ ଗମନାଗମନ ସ୍ୱାଭାବିକ ହୋଇପାରିବ ବୋଲି ଲୋକେ କହିଛନ୍ତି। କିନ୍ତୁ ନା ନାଲ୍କୋ କର୍ତ୍ତୃପକ୍ଷ ନା ଜିଲ୍ଲା ପ୍ରଶାସନ କେହି ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ନାଲ୍କୋର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଗାଁର ପାହାଡ଼ିଆ ଗୋଡ଼ିପଥର ମିଶା ଆବଡ଼ାଖାବଡ଼ା ରାସ୍ତାରେ ପ୍ରସୂତିମାନେ ଭାରରେ ବୁହାହୋଇ ଯାଆନ୍ତି। କେହି ରୋଗରେ ପଡିଲେ ଡାକ୍ତରଖାନା ଯିବା ମଧ୍ୟ ମୁସ୍କିଲ୍। ତେବେ ଏହି କଚ୍ଚା ରାସ୍ତା ସମ୍ପର୍କରେ ନାରାୟଣପାଟଣା ବିଡିଓଙ୍କୁ ପଚାରିବାରୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Published By: Abinash Pati
Last updated: 29 September 2018, 07:48 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।