“ଗାଁ ମୁହାଁ ମହାମାରୀ: ସ୍ୱାସ୍ଥ୍ୟ ସେବା ବି ଗ୍ରାମାଭିମୁଖି ହେଉ”

ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିଜେପି ସାଂସଦ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଲକଡାଉନ୍‌ ପରେ ବି କମିବାରେ ନା ନେଉନାହିଁ ମହାମାରୀ। ଆଉ ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଏବେ ଅନେକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ସରକାର କିନ୍ତୁ ଏହାକୁ ଜାଣିପାରୁ ନାହାନ୍ତି। ଏହାସହ  ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବ୍ୟବସ୍ଥା ହେଉ ଓ ବିଭିନ୍ନ ରାଜ୍ୟରେ ଲକଡାଉନ ଯୋଗୁ ଦାଦନ ଫେରୁଛନ୍ତି ତେଣୁ ସଂକ୍ରମଣ ବଢ଼ୁଛି ବୋଲି ଶ୍ରୀପଣ୍ଡା କହିଛନ୍ତି।

କେବଳ ଏତିକି ନୁହେଁ ବରଂ ପୂର୍ବପରି ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ବିଜେପି ସାଂସଦ। ଏହାସହ କ୍ୱାରେଣ୍ଟିନ ସେଣ୍ଟର କରିବା ସହ ଔଷଧପତ୍ର ଦିଆଯାଉ ବୋଲି କହିଛନ୍ତି ବସନ୍ତ। ଆଶା ଓ ଦଳୀୟ କର୍ମୀ, ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ କୋଭିଡ ମ୍ୟାନେଜମେଣ୍ଟ ହେଉ। ବର୍ତ୍ତମାନ ସମୟରେ କୋଭିଡ ଗ୍ରାମାଭିମୁଖି ହେଉଛି ତେଣୁ ସ୍ୱାସ୍ଥ୍ୟସେବା ବି ଗ୍ରାମାଭିମୁଖି ହେଉ ବୋଲି ବସନ୍ତ କହିଛନ୍ତି। ତେବେ  ବସନ୍ତଙ୍କ ପ୍ରସ୍ତାବ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ତେବେ ଆଜି ୨୯ ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗରରୁ ୫୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪,  ଝାରସୁଗୁଡ଼ାରୁ ୩୮୮ ଏବଂ ଗଞ୍ଜାମ ଜିଲ୍ଲାରୁ ୨୦୯, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଜଗତ୍‌ସିଂହପୁରରୁ ୨୧୯, ଯାଜପୁରରୁ ୨୮୧, ଝାରସୁଗୁଡାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ମାଲକାନାଗିରିରୁ ୧୨୩, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫ ଏବଂ ଷ୍ଟେଟ ପୁଲ୍‌ରୁ ୨୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେପଟେ,  ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି। ଏହାବ୍ୟତୀତ ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଚିନ୍ତା ବଢୁଛି। ତେଣୁ ଏହା ଉପରେ ଫୋକସ୍ କରି ଲକଡାଉନ୍‌କୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ୍ ଡିଜିପି। ସେପଟେ ସ୍ୱାସ୍ଥ୍ୟ  ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଳାଟ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ।

You might also like