ଶ୍ରୀମନ୍ଦିରରେ କାଲିଠୁ ଛୋଟ ହେବ ବ୍ୟାରିକେଡ୍, ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ

ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ଶ୍ରୀମନ୍ଦିରରେ କାଲିଠୁ ଛୋଟ ହେବ ବ୍ୟାରିକେଡ୍। ସାଧାରଣ ଦର୍ଶନ ପାଇଁ ହୋଇଥିବା ଲମ୍ବା ବ୍ୟାରିକେଡକୁ ସଙ୍କୁଚିତ କରାଯାଇଛି। ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲି ଚାଲି ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି। ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ତଥା ସେମାନଙ୍କ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ଼କୁ ହଟାଯିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ବ୍ୟାରିକେଡ୍ ଖୋଲାଯିବ। ଦର୍ଶନ ବେଳେ ଶ୍ରଦ୍ଧାଳୁ ଲମ୍ବା ବ୍ୟାରିକେଡ୍ ନେଇ ସମସ୍ୟା ଉପୁଜିଥିବା ନଜରକୁ ଆସିଥିଲା। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ପରେ ପୁରୀ ପୋଲିସ୍ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି ।

ଜାନୁଆରୀ ୨୧ ଠାରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ବଡ଼ ଠାକୁରଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଥିଲା । ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି।  ତେବେ ମାତ୍ରାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବାରିକେଡ କରାଯାଇଥିଲା। ଫଳରେ ଚାଲି ଚାଲି ଥକିଯାଉଥିଲେ ଶ୍ରଦ୍ଧାଳୁ । ଏତେ ଦିନ ପରେ କାଳିଆର ଦର୍ଶନ ପାଇବା ପାଇଁ ଆସୁଥିବା ବରିଷ୍ଠ ନାଗରିକ ମାନେ ଅଧିକ ହଇରାଣ ହେଉଥିଲେ। ଆଉ ଏନେଇ ଅଭିଯୋଗ କରାଯାଇଥିଲା ।

ସେପଟେ ଆଜି ଦିନକ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିପାରି ନାହାନ୍ତି ଭକ୍ତ। ଶ୍ରୀମନ୍ଦିର ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯାଉଥିବାରୁ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିରର ବାଇସି ପାହାଚ, ଶ୍ରଦ୍ଧାଳୁଙ୍କ ଯା‘‌ଆସ କରିବା ରାସ୍ତା, ଦ୍ୱାର ଏବଂ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଉଛି। ଶ୍ରୀମନ୍ଦିର ଚାରିପଟେ ବି ବିଶୋଧନ କରାଯାଇଛି । ଅଗ୍ନିଶମ, ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କରାଯାଉଛି। ପୂର୍ବ ନିଷ୍ପତ୍ତି ଅନୁସାରେ, ପ୍ରତି ରବିବାର ସାନିଟାଇଜ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତେବେ ଆସନ୍ତାକାଲିଠୁ ପୁଣିଥରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

You might also like