ଲୁଚିଛପି ସୀମା ପାର୍‌ ହେଉଥିବା ବେଳେ ଧରାପଡ଼ିଲେ

ବାରିପଦା: ଲକ୍‌ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି।

ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ ୩୦ରୁ ଅଧିକ ଲୋକ ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ।

ସେହିପରି ବେତନଟିରେ ୧୮ ନମ୍ବର ଜାତୀୟ ରାଜପଥ ଉପରେ ଚାଲି ଚାଲି ଯାଉଥିବା ପଶ୍ଚିମବଙ୍ଗ ଅଞ୍ଚଳର କିଛି ଲୋକଙ୍କୁ ଅଟକ ରଖାଯାଇଛି। ଝାଡ଼ଖଣ୍ଡ ଯାଉଥିବା ୯ ଜଣ ଶ୍ରମିକଙ୍କୁ ଝାରପୋଖରିଆରେ ପୋଲିସ ଅଟକ ରଖିଛି।

ଅନ୍ୟପଟେ ବିଶାଖାପାଟଣାରୁ ୬୦ ଶ୍ରମିକଙ୍କୁ ଝାଡ଼ଖଣ୍ଡ ଗଡ଼ବା ଜିଲ୍ଲାକୁ ନେଉଥିବା ବେଳେ ଏକ ଟ୍ରକ୍‌କୁ ଜବତ କରିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ପୋଲିସ। ଘଟଣାରେ ଡ୍ରାଇଭରକୁ ଅଟକ ରଖାଯାଇଛି। ସେ ଶ୍ରମିକ ମାନଙ୍କ ଠାରୁ ନେଇଥିବା ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ।

ଝାଡ଼ଖଣ୍ଡ ସୀମାନ୍ତ ଗେଟ୍‌ରେ ଚେକିଂ ଚାଲିଥିବା ଜାଣିବା ପରେ, ଅଭିଯୁକ୍ତ ଡ୍ରାଇଭର ଶ୍ରମିକମାନଙ୍କୁ ହାତୀବାରୀ ଥାନା ପୁରୁଣାପାଣିରେ ଛାଡ଼ିଦେଇ ପଳାଉଥିଲା। ଶ୍ରମିକ ମାନେ ଚାଲିଚାଲି ଯାଉଥିବା ବେଳେ, ହାତୀବାରୀ ପୋଲିସ ସେମାନଙ୍କୁ ଅଟକାଇ ସବୁକଥା ବୁଝିବା ପରେ ବୀରମିତ୍ରପୁର ଥାନାକୁ ଖବର ଦେଇଥିଲା। ଉଦ୍ଧାର ଶ୍ରମିକଙ୍କୁ ପୁରୁଣାପାଣି ସ୍କୁଲରେ ରଖାଯାଇ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

You might also like