ବାରିପଦା ସଦର ବ୍ଲକ୍ ଅଧ୍ୟକ୍ଷାଙ୍କୁ ମାଡ଼, ଭାଇରାଲ ହେଲା ଭିଡିଓ
ବାରିପଦା: ବାରିପଦା ସଦର ବ୍ଲକ୍ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍ଙ୍କୁ ମାଡ଼ ପରେ ଭାଇରାଲ ହୋଇଛି ଏହାର ଭିଡିଓ। ବ୍ଲକ୍ ଅଧ୍ୟକ୍ଷା ଏକ ନାବାଳିକା ଅପହରଣ ମାମଲାର ରଫାଦଫା ଲାଗି ନୂଅାଡ଼ିହି ଗାଁକୁ ଯାଇଥିବା ବେଳେ ମହିଳାମାନେ ତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି।
ଗତ ଗୁରୁବାର ଶଙ୍ଖାଭଂଗା ପଂଚାୟତର ନୂଅାଡିହି ଗାଁରେ ଘଟିଛି ଏହି ଘଟଣା। ମହିଳାଙ୍କ ସହ ଗ୍ରାମବାସୀ ମଧ୍ୟ ଏହି ଘଟଣାରେ ଅଧ୍ୟକ୍ଷାଙ୍କୁ ହଲାପଟା କରିଥିଲେ। ଅଧ୍ୟକ୍ଷା ମଧ୍ୟ ଅାକ୍ରମଣକାରୀ ମହିଳାଙ୍କୁ ପ୍ରତି ଅାକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ନାବାଳିକା କନ୍ୟାକୁ ରାଣିଭୋଳ ଗାଁର ଜଣେ ଯୁବକ ଅପହରଣ କରି ନେଇଥିବା ନାବାଳିକାର ମାଆ ସଦର ଥାନାରେ ଅଭିଯୋଗ କରିଥିଲେ। ହେଲେ ଘଟଣା ଅାରମ୍ଭରୁ ହିଁ ବ୍ଲକ୍ ଅଧ୍ୟକ୍ଷା ଉକ୍ତ ଯୁବକଙ୍କ ପକ୍ଷ ନେଇ ନାବାଳିକାଙ୍କ ପରିବାରକୁ ଚାପ ପକାଉଥିବା ଅନେକ ଥର ଅଭିଯୋଗ ହୋଇ ଅାସିଛି। ଏପରିକି ନାବାଳିକାଙ୍କୁ ଅପହର୍ତ୍ତା ଯୁବକଙ୍କ ସହ ବିବାହ କରାଇଦେବାକୁ ମଧ୍ୟ ଚାପ ପକାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ମାମଲାର ଫୈସଲା ପାଇଁ ବୈଠକ ଚାଲିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଚୌକିରୁ ଠେଲିଦେବା ସହ ଜୋତା ମାଳ ପିନ୍ଧାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷର ଏତଲାକୁ ଆଧାର କରି ଏହି ଘଟଣାର ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।