ଆଜି ବରଗଡ଼ ଧନୁଯାତ୍ରାର ଅନ୍ତିମ ଦୃଶ୍ୟ

ଅହଂକାରୀ କଂସକୁ ବଧ କରି ଅତ୍ୟାଚାରରୁ ମୁକ୍ତି ଦେବେ ପ୍ରଭୁ କୃଷ୍ଣ

ବରଗଡ଼  : ବରଗଡ଼ ଧନୁଯାତ୍ରାରେ ଆଜି ମଞ୍ଚସ୍ଥ ହେବ ଶେଷ ଦୃଶ୍ୟ। ପାପାଚାରୀ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ ଅତ୍ୟାଚାରୁ ମୁକ୍ତ କରିବେ ପ୍ରଭୁ କୃଷ୍ଣ।

ଜାଣି ସିନା ପାରୁନି, ହେଲେ ମୃତ୍ୟୁର ମୁହୂର୍ତ୍ତ ଗଣୁଛି ଅତ୍ୟାଚାରୀ କଂସ। ଧନୁଯାତ୍ରା ଦେଖିବାକୁ ମଥୁରାରେ ରାମକୃଷ୍ଣ ବେନିଭାଇଙ୍କ ଆଗମନ ପର ଠାରୁ ସତେ ଯେମିତି ଅଜଣା ଆତଙ୍କରେ ଘାଣ୍ଟି ହେଉଛି ମଥୁରା ନରେଶ। ବାରମ୍ବାର ମନେ ପଡିଯାଉଛି ଶୂନ୍ୟବାଣୀ ଓ ବିଜୁଳି କନ୍ୟାର ଅଟ୍ଟହାସ୍ୟ।

୧୧ଦିନ ଧରି ଧନୁଯାତ୍ରାର ଅନ୍ତିମ ପର୍ବରେ ଆଜି ମଞ୍ଚସ୍ଥ ହେବ କଂସ ବଦ୍ଧ। ଶେଷ ଦିନରେ ବି ରାଜ ଦରବାରରେ ଉତ୍ସବ ଓ ବ୍ୟସନରେ ମାତିଛି ମହାରାଜ କଂସ। ତେଣେ କୃଷ୍ଣ ବଳରାମଙ୍କୁ ପାଖରେ ପାଇ ଭାବ ବିହ୍ୱଳ ହୋଇ ପଡିଛନ୍ତି ମଥୁରାବାସୀ।

ଅତ୍ୟାଚାରୀ କଂସର ରାଜୁତି ଓ କୃଷ୍ଣଙ୍କ ବାଲ୍ୟଲୀଳା ରସ ଭଳି ପୌରାଣିକ କଥା ବସ୍ତୁକୁ ନେଇ ବର୍ଷ ବର୍ଷ ଧରି ବରଗଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇ ଆସୁଛି ଧନୁଯାତ୍ରା। ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା ବାସୀଙ୍କ ଭକ୍ତି ଓ ଧାର୍ମିକ ଭାବାବେଗ ସହ ବି ଜଡ଼ିତ। ୧୧ ଦିନ ଧରି ମହାରାଜ କଂସଙ୍କ ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ୍‌ର ପରମ୍ପରା ବି ଅନନ୍ୟ।

ତେବେ ଏଥର ଧନୁଯାତ୍ରାରେ ରାଜ ଅତିଥି ହୋଇଥିବା ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଯାତ୍ରା ଆୟୋଜନ ଖର୍ଚ୍ଚ ଦୁଇଗୁଣା ବଢ଼ାଇବାକୁ ଦାବି ରହିଛି।

ଚଳିତ ବର୍ଷକୁ ମିଶାଇ ୭୦ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା।

 

 

You might also like