ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢ଼ୁଛି ଚିନ୍ତା
ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି ଏଇ ୪ ଜିଲ୍ଲା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବଳରାମଗଡ଼ି, ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର।
ସମୁଦ୍ର କୂଳିଅା ଗାଁଗଣ୍ଡା, ସାହି ବସ୍ତିରେ ବର୍ଷ ବର୍ଷ ଧରି ରହୁଛନ୍ତି ହଜାର ହଜାର ବାଂଲାଦେଶୀ। ପ୍ରଥମେ ଜଳପଥ କିମ୍ବା ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ, ପରେ ଛୋଟମୋଟ ଜୀବିକା, ଅାଉ ତାପରେ ଜମିବାଡ଼ି କରି ଅାଧିପତ୍ୟ ବିସ୍ତାର। ଅନୁପ୍ରବେଶ ସମସ୍ୟାକୁ ରୋକିବା ପାଇଁ ନା ହେଉଛି ଚିହ୍ନଟ, ନା ଧରପଗଡ଼ ବରଂ ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ଅନେକ ବାଂଲାଦେଶୀ ଭାରତର ଭୋଟ୍ ପରିଚୟ ପତ୍ର ଓ ଅାଧାରକାର୍ଡ ମଧ୍ୟ ହାସଲ କରିସାରିଲେଣି।
୨୦୧୭ରେ ଓଡ଼ିଶାରେ ବସବାସ କରୁଥିଲେ ପ୍ରାୟ ୩ ହଜାର ୭ଶହ ବାଂଲାଦେଶୀ ଅନୁପ୍ରବେଶକାରୀ। ଗତବର୍ଷ ଲୋକସଭାରେ ସାଂସଦ ତଥାଗତ ଶତପଥୀଙ୍କ ପ୍ରଶ୍ନର ଉତ୍ତରରୁ ଏହି ତଥ୍ୟ ଜଣାପଡ଼ିଥିଲା। କିନ୍ତୁ ଏହି ସଂଖ୍ୟା ଢେର୍ ଅଧିକ ହୋଇଥିବା ଅନୁମାନ କରାଯାଉଥିବାରୁ ଅାସାମ୍ ଭଳି ଓଡ଼ିଶାରେ ବି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ଦାବି ଉଠିଛି।
ବେଅାଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିବା ଏବଂ ସେମାନଙ୍କୁ ଅବିଳମ୍ବେ ଦେଶାନ୍ତର କରିବା ପାଇଁ ଗତବର୍ଷ ସମସ୍ତ ରାଜ୍ୟକୁ ଚିଠି ଲେଖିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସେମାନେ ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା ସହ ଅାତଙ୍କୀ ସଂଗଠନ ଦ୍ୱାରା ନିଯୁକ୍ତ ହେବାର ଅାଶଙ୍କା ଥିବା ଦର୍ଶାଯାଇଥିଲା।