ମାଲକାନଗିରି: ମାଲକାନଗିରିରେ ନକ୍ସଲଙ୍କ ଦିନିକିଆ ବନ୍ଦ ଡାକରା। ଏନ୍କାଉଣ୍ଟରରେ ୫ ନକ୍ସଲଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରିରେ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି।
ସରକାରୀ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଘରୋଇ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ସେପଟେ ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ କରି ମାଲକାନିଗିରି ଓ କୋରାପୁଟରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟେକାଗୁଡାରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି। ସେହିପରି କୋରାପୁଟ ନନ୍ଦପୁର ନିକଟ ହାତିବାରୀରେ ନକ୍ସଲଙ୍କ ବିରୋଧରେ ଏକାଧିକ ପୋଷ୍ଟର ଲାଗିଛି।