ପଣବନ୍ଦୀ ଥିବା ତାପସ ଉଦ୍ଧାର; ଅଭିଯୁକ୍ତ ଫେରାର

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସୋର କେଶପୁର ଗାଁର ତାପସ ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଲକ୍ଷ ଟଙ୍କା ଦାବି କରିବା ଘଟଣା ଉପରୁ ଉଠିଛି ପରଦା। ଏଥିସହ ଅପହୃତ ତାପସଙ୍କୁ  ଉଦ୍ଧାର କରିଛି ପୋଲିସ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା କୁଲଟାଲି ଥାନା ଅଞ୍ଚଳରୁ ତାପସଙ୍କୁ ଉଦ୍ଧାର କରାଯାଇ ସୋର ଅଣାଯାଇଛି ।

ସୂଚନାଥାଉ କି, ଚାକିରି ଯୋଗାଇ ଦେବା ନାମରେ  ବନ୍ଧୁକ ମୁନରେ ତାପସଙ୍କୁ ପଣବନ୍ଦୀ କରି ନେଇଥିଲେ ଦୁର୍ବୃତ୍ତ। ସେତିକି ନୁହେଁ,  ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି  ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଥିଲେ।  ଦୁବୃର୍ତ୍ତମାନେ ଏନେଇ ଏକ ଭିଡିଓ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମୋବାଇଲକୁ  ମଙ୍ଗଳବାର ପଠାଇଥିଲେ।  ଟଙ୍କା ନ ଦେଲେ ସ୍ୱାମୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। । ତାପସଙ୍କ ହାତଗୋଡ଼ ବନ୍ଧା ଯାଇଥିବାବେଳେ ପାଖରେ ବନ୍ଧୁକ ଓ ଟାଙ୍ଗିଆ ରଖି ଧମକ ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଏନେଇ ସୁକାନ୍ତି ସୋର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଭୟରେ ଧମକ ଦେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଥିଲେ ସୁକାନ୍ତି। 

ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ଅଭିଯୋଗ ପାଇବା ପରେ ସୋର ପୋଲିସ ଅପହର୍ତ୍ତାର ମୋବାଇଲ୍ ଫୋନ୍ ଟ୍ରାକିଂ କରି ବନ୍ଧକ ଥିବା ଜାଗା ଠାବ କରିଥିଲା । ଏହାପରେ ସୋର ଥାନା ଆଇଆଇସି ମଧୁମିତା ମହାନ୍ତିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କୁଲଟାଲି ଥାନାରେ ପହଞ୍ଚିଥିଲେ ।

ସେମାନେ ଗତକାଲି ଦିନରେ କୋଲକାତା ଯାଇଥିଲେ। ସେଠାରୁ ସ୍ଥାନୀୟ ପୋଲିସର ସହାୟତା ନେବା ସହ ଗ୍ରାମ ମୁଖିଆଙ୍କ ସହୟତା ନେଇଥିଲେ। ଗ୍ରାମ ମୁଖିଆଙ୍କ ସହାୟତାରେ ବସ୍ତି ଭିତରେ ପହଞ୍ଚିଥିଲେ।  ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ସୁନ୍ଦରବନ ଜାତୀୟ ଉଦ୍ୟାନ ପାଖ ବିଲ ଭିତରେ ଥିବା ଗୋଟିଏ ପରିତ୍ୟକ୍ତ ଘରେ ପହଞ୍ଚି ତାପସଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲେ । ଘରଟି ବାଂଲାଦେଶ ସୀମା ପାଖରେ ଥିବାରୁ ୫ ଜଣ ଅପହର୍ତ୍ତା ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲେ।

ସୂଚନାଥାଉ କି, ଦୀର୍ଘ ୮ ବର୍ଷ ହେବ ତାପସ ବେଙ୍ଗାଲୁରୁର ଏକ କ୍ୟାଣ୍ଟିନରେ କାମ କରୁଥିଲେ। ସେ ୧୦ ଦିନ ତଳେ ଘରକୁ ଆସିଥିଲେ । ତେବେ ପୁଣି ଲକଡାଉନ ଆଶଙ୍କା କରି ଆଉ ବାଙ୍ଗାଲୋର ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।  ଗତ ୨୮ ତାରିଖ ଘଟଣା।  ଗୋଟିଏ ଅଜଣା ନମ୍ବରରୁ ତାଙ୍କ ଫୋନ୍‌କୁ ଏକ  କଲ୍ ଆସିଥିଲା । ଏହା ପରେ ପରେ ସେ ନିଖୋଜ ହୋଇ ଯାଇଥିଲେ।

ଯାହା ବି ହେଉ, ରାଜ୍ୟ ବାହାରୁ ଜଣେ ବନ୍ଧକଙ୍କୁ ଉଦ୍ଧାର କରି ଆଣିବା ପୋଲିସ ପାଇଁ ଏକ ବଡ ସଫଳତା। ଅନ୍ୟପକ୍ଷେ ତାପସଙ୍କୁ ଉଦ୍ଧାର କରାଯାଇ ପାରଥିବାରୁ ପରିବାର ଲୋକେ ମଧ୍ୟ ବେଶ ଆଶ୍ୱସ୍ତ ହୋଇଛନ୍ତି।

You might also like