ବିନା ମାଟିରେ ଚାଷ ହେଉଛି, ପ୍ରବଳ ମାତ୍ରାରେ ପରିବା ବି ଫଳୁଛି…

ବିନା ମାଟିରେ ଚାଷ?

ବାଲେଶ୍ୱର(ରଶ୍ମୀରଂଜନ ଦାସ):ସାଧାରଣତଃ ଚାଷ କଥା କହିଲେ ଆମ ମନକୁ ପ୍ରଥମେ ଆସେ, ଉର୍ବର ମାଟି ତଥା ଜଳସେଚନ ବ୍ୟବସ୍ଥା। ତେବେ ଆଧୁନିକ ପଦ୍ଧତିରେ ବିନା ମାଟିରେ ବି ହୋଇପାରିବ ପନିପରିବା ଚାଷ। ଏହାକୁ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ସଂଜୟ ଦାସ। କମ୍ ଜାଗାରେ ବିନା ମାଟିରେ ବର୍ଷକ ବାର ମାସ ନିଜ ଫାର୍ମରେ ସେ କରିପାରୁୁଛନ୍ତି ଭଳିକି ଭଳି ପରିବା ଚାଷ। ଯାହାକୁ ବିକ୍ରି କରି ସେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ।

ବିନା ମାଟିରେ ହେଉଛି ପରିବା ଚାଷ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ। ଏହି ଚାଷରେ କମ୍ ପରିଶ୍ରମ ଅଳ୍ପ ଖର୍ଚ୍ଚରେ ଫଳୁଛି ବିଭିନ୍ନ ପ୍ରକାର ପନିପରିବା। ପାଇପକୁ ପାଇପ୍ ଯୋଡି ମଝିରେ ମଝିରେ କଣା କରି ଧାଡିକୁ ଧାଡି ଲାଗିଛି କ୍ୟାପସିକମ, ବାଇଗଣ, ଟମାଟୋ, କଲରା ଭଳି ପରିବା ଗଛ। ପ୍ଲାଷ୍ଟିକ୍ ଗ୍ଲାସରେ ଅଳ୍ପ କିଛି ନଡିଆ କତା ଗୁଣ୍ଡ ଓ ପାଣି ଦିଆଯାଇ କରାଯାଉଥିବା ଏହି ପଦ୍ଧତି ହେଉଛି ହାଇଡ୍ରୋପୋନିକ୍ ଚାଷ। ଏହାକୁ ନିଜ ବାଡିରେ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କାକବରେଇ ଗାଁରେ ସଞ୍ଜୟ ଦାସ। ପ୍ରତି ସପ୍ତାହରେ ବହୁ ପରିମାଣର ପନିପରିବା ଅମଳ ହେଉଥିବାବେଳେ ଏଗୁଡିକୁ ବଜାରରେ ବିକ୍ରି କରି ବେଶ୍ କିଛି ଟଙ୍କା ରୋଜଗାର କରିପାରୁଛନ୍ତି ସଂଜୟ।

ସେପଟେ ଚାଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ଦାସ। ସେ କହିଛନ୍ତି ଯେ, କେମିତି ପ୍ରତ୍ୟେକ ସମୟରେ ପ୍ରଡକ୍ସନ ହୋଇପାରିବ ସେନେଇ ଆମେ ଚିନ୍ତା କରିଛୁ। ଏଠାରେ କୌଣସି ସାର  କିମ୍ବା ଅନ୍ୟ କିଛି ଦରକାର ନାହିଁ। ବିନା ସାରରେ ଏଠାରେ ଭଲ ଚାଷ ହୋଇପାରୁଛି। ଜୈବିକ ପ୍ରଣାଳୀରେ ଏଠାରେ ଚାଷ ହେଉଛି। କେମିତି କମ ସମୟରେ ଓ ଅଳ୍ପ ପରିଶ୍ରମରେ ଚାଷ ହୋଇପାରିବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି।

ଏପଟେ ଟ୍ରେନିଂ ନେଉଥିବା ଜଣେ ଯୁବକ କହିଛନ୍ତି ଯେ, ଏହି ଚାଷରେ ଆମେ ଥରେ ଟଙ୍କା ଇନଭେଷ୍ଟ୍‌ କରୁଛନ୍ତି। ବର୍ଷକ ୧୨ ମାସ ଏଠାରେ ଚାଷ ହୋଇପାରୁଛି। ବହୁ ଅଳ୍ପ ସ୍ଥାନରେ ଅଧିକ ପନିପରିବା ଚାଷ ହେଉଥିବା କଥା ମଧ୍ୟ ସେ କହିଛନ୍ତି।

ସଂଜୟ ଜଣେ ଆଇଟିଆଇ ଛାତ୍ର ହୋଇଥିଲେ ବି ଆଧୁନିକ ପଦ୍ଧତିରେ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ମନ ବଳାଇଥିଲେ। ଏଥିପାଇଁ ଉତ୍ତରପ୍ରଦେଶରୁ ଏହି ହାଇଡ୍ରୋପୋନିକ୍ ଚାଷ ବିଷୟରେ ଟ୍ରେନିଂ ନେବା ପରେ ନିଜ ଘରେ ଆରମ୍ଭ କରିଛନ୍ତି ପନିପରିବା ଚାଷ। ସଂଜୟଙ୍କ ଏହି ଟେକନିକ୍ ସଂପର୍କରେ ଜ୍ଞାନ ଆହରଣ କରିବାକୁ ବିଭିନ୍ନ ସ୍ଥାନରେ ଆଗ୍ରହୀ ଚାଷୀ ତାଙ୍କ ପାଖକୁ ଆସୁଛନ୍ତି।ତେବେ ସଂଜୟଙ୍କ ଏଭଳି କାର୍ଯ୍ୟ ଏବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି।

You might also like