ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା: ବାଲେଶ୍ୱରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାକୁ ମାଡ଼ିଲା କରୋନା ଭାଇରସ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଚିହ୍ନଟ ହେବା ପରେ ୬୧ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରଶାସନ ତରଫରୁ ବାଲେଶ୍ୱର ସହରର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୨୯ ନମ୍ବର ୱାର୍ଡକୁ ପୂରା ସିଲ୍ କରାଯାଇଥିବା ବେଳେ ୧୮ ଏବଂ ୨୮ ନମ୍ବର ୱାର୍ଡକୁ ଆଂଶିକ ଭାବେ ସିଲ୍ କରାଯାଇଛି। ଏହି ୩ଟି ୱାର୍ଡର ୯ଟି ପ୍ରବେଶ ପଥକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଲୋକେ ଘରୁ ନବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଥିବା ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସଂପୃକ୍ତ କଣ୍ଟେନମେଣ୍ଟ ଅଞ୍ଚଳରୁ ୫ ଶହ ପରିବାରର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସଂପୃକ୍ତ ଅଞ୍ଚଳରୁ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

ବାଲେଶ୍ୱରର ଏହି ଆକ୍ରାନ୍ତ ଜଣକ ୫୮ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଏହି ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି।  ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୂନା ସଂଗ୍ରହ ହେବ।

ତେବେ ୧୮ ଏପ୍ରିଲ ସୁଦ୍ଧା ୧୦୭୧ଟି ନମୁନା ପରୀକ୍ଷା ପାଇଁ ଯାଇଥିବାବେଳେ ମାତ୍ର ଜଣଙ୍କଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଆଶ୍ୱସ୍ତିକର ଖବର ହେଉଛି, ରାଜ୍ୟରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତମାନେ ବି ଜଣେ ପରେ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି।

ଗତକାଲି ଭୁବନେଶ୍ୱରର ଆଉ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାରର ୨ଜଣଙ୍କୁ ମିଶାଇ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ ସଂକ୍ରମିତ ସୁସ୍ଥ ହେଲେଣି।

ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଥିବା ବେଳେ, ସେମାନଙ୍କ ମଧ୍ୟରୁ ମୋଟ ୨୪ ଜଣ ସୁସ୍ଥ ହୋଇଛନ୍ତି। ୩୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କ ମୃତ୍ୟୁ ଘଟିଛି।

You might also like