୨୯ରେ ଓଡ଼ିଶା ଚାଷୀଙ୍କୁ ମନାଇବ ବିଜେପି; ଏପଟେ ତାତିଲେ ବାଲେଶ୍ୱରର ଅନ୍ନଦାତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତର ମିର୍ଜାପୁର ସେବା ସମବାୟ ସମିତିରେ ଧାନ  କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଚାଷୀ।

ପ୍ୟାକ୍ସ ପକ୍ଷରୁ ନିୟୋଜିତ କରାଯାଇଥିବା ତାରିଣୀ ମିଲର ମାଲିକ ମନଇଚ୍ଛା କଟ୍‌ନି ଛଟନି କରୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଏହା ସହ ମିଲରଙ୍କୁ ଯେତିକି ଟୋକନ ଦିଆଯାଇଛି, ସେତିକି ଧାନ କିଣୁ ନଥିବା ମଧ୍ୟ ଅଭିଯୋଗ ଆସିଛି। ଫଳରେ ବାଧ୍ୟ ହୋଇ ଏହି ମଲରକୁ ବରଖାସ୍ତକରି ନୂଆ ମିଲର ଦେବା ଦାବିରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଚାଷୀ।

ଅନ୍ୟପଟେ ଆସନ୍ତା ୨୯ରେ ଉତ୍ତର ଓଡ଼ିଶାର ଚାଷୀଙ୍କୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବଡ଼ ଧରଣର କୃଷକ ସମାବେଶ ଆୟୋଜନ ହେବ। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ  କେନ୍ଦୁଝର ଜିଲ୍ଲାରୁ କୃଷକମାନେ ଯୋଗଦେବେ।

ଏହିଭଳି ରାଜ୍ୟର ୬ଟି ସ୍ଥାନରେ କୃଷକ ସମାବେଶ ହେବ। ଏଥିରେ କେନ୍ଦ୍ରୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ଆଣିଥିବା ତିନୋଟି ନୂଆ କୃଷି ଆଇନ ସପକ୍ଷରେ ଚାଷୀଙ୍କୁ ଅବଗତ କରିବ ବିଜେପି। ଏହାଛଡ଼ା ରାଜ୍ୟର ୩ ହଜାର ୫ଶହ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତ୍ୟକ ମଣ୍ଡିରେ ଦଳ କୃଷକ ପଞ୍ଚାୟତ ଆୟୋଜନ କରିବ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ।

ସୂଚନା ଥାଉକି କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ୍‌କୁ ନେଇ ସାରା ଦେଶରେ ଚାଷୀକୂଳର ତୀବ୍ର ବିରୋଧ ଜାରି ରହିଛି। ଦିଲ୍ଲୀ ବୋର୍ଡରେ ସିଂଘୁ ଠାରେ ଦୁଇ ସପ୍ତାହ ହେଲାଣି ଧାରଣା ଦେଇଛନ୍ତି ଛାଷୀ। କେନ୍ଦ୍ର ସରକାର ଓ ଚାଷୀମାନଙ୍କ ମଧ୍ୟରେ ବାରମ୍ବାର ବୈଠକ ବସିଥିଲେ ବି ଏପର୍ଯ୍ୟନ୍ତ ସମସ୍ୟାର କୌଣସି ନିଷ୍କର୍ସ ବାହାରିପାରି ନାହିଁ। ନୂଆ କୃଷି ଆଇନ୍ ଉଚ୍ଛେଦ ନେଇ ଚାଷୀ ଅଡ଼ି ବସିଛି, ଏପଟେ ଜିଦ୍‌ରେ ଅଟଳ ସରକାର। ଅନ୍ୟପଟେ ଅନସନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ କୂଳ।

You might also like