ମହଙ୍ଗା ପଡିଲା ଦେଶ ବିରୋଧୀ ଷଡଯନ୍ତ୍ର: ଈଶ୍ୱର ବେହେରାକୁ ଆଜୀବନ ସଜା

ଦେଶଦ୍ରୋହ ଅପରାଧରେ ମିଳିଲା ସଜା

  • ମହଙ୍ଗା ପଡ଼ିଲା ଦେଶ ବିରୋଧରେ ଷଡ଼ଯନ୍ତ୍ର
  • ଦେଶଦ୍ରୋହ ଅପରାଧରେ ମିଳିଲା ସଜା
  • ISI ଲିଙ୍କରେ ଗିରଫ ଈଶ୍ୱର ବେହେରାକୁ ଆଜୀବନ ଜେଲ୍

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଦେଶଦ୍ରୋହ ଅପରାଧରେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISIକୁ ଦେବା ଅଭିଯୋଗରେ ୨୦୧୫ ଜାନୁଆରୀ ୨୨ରେ ଗିରଫ ହୋଇଥିଲା ଈଶ୍ୱର। ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍। ସେପଟେ ସେ ନିର୍ଦ୍ଦୋଷ ଓ ତାକୁ ଫସାଇ ଦିଆଯାଇଥିବା କହିଛି ଈଶ୍ୱର।

ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୧, ୧୨୧-ଏ ଏବଂ ୧୨୧-ବି ରେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟକୁ ଶତ୍ରୁ ରାଷ୍ଟ୍ରକୁ ଯୋଗାଉଥିବା ଅଭିଯୋଗରେ ଈଶ୍ୱର ବେହେରାକୁ ୨୦୧୫ ମସିହା ଜାନୁୟାରୀ ୨୨ ତାରିଖରେ ଗିରଫ କରିଥିଲା ଚାନ୍ଦିପୁର ପୋଲିସ। ଖାନତଲାସି ଆଉ ଯାଞ୍ଚ ପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ତାର ଲିଙ୍କରେ ପ୍ରମାଣ ମିଳିଥିଲା। ଆଉ ପରେ ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା କ୍ରାଇମବ୍ରାଞ୍ଚ।

ସରକାରୀ ଓକିଲ ନଳୀନ କୁମାର ପଣ୍ଡା କହିଛନ୍ତି ଯେ, ୧୨୧, ୧୨୧ ଏ ଓ ୧୨୧ ବି ଅନୁସାରେ କୋର୍ଟ ଆଜିବନ କାରାଦଣ୍ଡ ଶୁଣାଇବା ସହ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଯଦି ଜୋରିମାନା ଅର୍ଥ ଦେଇ ପାରିବେ ନାହିଁ ତେବେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସରକାରୀ ଆଇନଜୀବୀ ସୂଚନା ଦେଇଛନ୍ତି। କୋର୍ଟକୁ ଆମେ ବହୁତ ପ୍ରମାଣ ଦେଇଛୁ ବୋଲି ସେ କହିଛନ୍ତି। ସେପଟେ ଇଶ୍ୱରଙ୍କ ଆଇନଜୀବୀ କହିଛନ୍ତି ଯେ, ଆମେ ହାଇକୋର୍ଟ ଯିବୁ…

ଚାନ୍ଦିପୁର ଆଇଟିଆରର ଫଟୋଗ୍ରାଫର ହୋଇଥିବାରୁ ଇଶ୍ୱରକୁ ଏଠାରେ ହେଉଥିବା କ୍ଷେପଣାସ୍ତ୍ର ଓ ତାର ପରୀକ୍ଷଣ ସମ୍ପର୍କିତ ତଥ୍ୟ ଓ ଫଟୋ ତା ନିକଟରେ ରହୁଥିଲା। ହେଲେ ସେ ଏହି ଗୁପ୍ତତଥ୍ୟ ଓ ଫଟୋକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIକୁ ବିକି ଦେଉଥିଲା। ମିରଟରେ ଥିବା ପାକିସ୍ତାନୀ ଗୁପ୍ତଚର ଅସିଫ ଅଲ୍ଲୀକୁ ସେ ଏହି ତଥ୍ୟ ହସ୍ତାନ୍ତର କରୁଥିଲା ବୋଲି ଜଣାଯାଇଛି। ଆଉ ଏହାର ପ୍ରତିବଦଳରେ ଈଶ୍ୱରର ବ୍ୟାଙ୍କ ଆକାଉଣ୍ଟକୁ ମିରଟ, ଆଜମେର, କୋଲକତା ସହ ଆବୁଧାବିରୁ ବି ଟଙ୍କା ଆସୁଥିବା ନେଇ ସୂଚନା ରହିଛି।

ସେ ଏକ ୯ ଟିକିଆ ନମ୍ବରରେ ବାରମ୍ବାର କଥା ହେଉଥିବା ବୋଲି ସାଙ୍ଘାତିକ ତଥ୍ୟବି ସାମ୍ନାକୁ ଆସିଛି। ଗୁପ୍ତ ତଥ୍ୟ ଆଦାନପ୍ରଦାନ ସମ୍ପର୍କିତ ଈଶ୍ୱରର ପ୍ରାୟ ୬୬୬ ସେକେଣ୍ଡର ଫୋନ୍ ରେକର୍ଡିଂର ପ୍ରମାଣ କୋର୍ଟକୁ ଦିଆଯାଇଥିବା କ୍ରାଇମବ୍ରାଞ୍ଚ ଓକିଲ ସୂଚନା ଦେଇଛନ୍ତି। ସେପଟେ ଈଶ୍ୱର ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ତାକୁ ଫସାଇ ଦିଆଯାଇଥିବା ଓଲଟି ଅଭିଯୋଗ କରିଛିି।

୨୯ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ବାଲେଶ୍ୱର କୋର୍ଟ ଇଶ୍ୱରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦେଶଦ୍ରୋହ ସହ ଅଫିସିଆଲ୍ ସିକ୍ରେସି ଧାରା ୩ ଓ ୫ରେ ମଧ୍ୟ ତାଙ୍କୁ ୧୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

You might also like