‘ଜିଲ୍ଲାପାଳ’ କ୍ଷମତା ଥିବା କହି ମାଟିରେ ମିଶାଇ ଦେଲେ ଅସହାୟଙ୍କ ଘର

ଭୁବନେଶ୍ୱର: କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଭାଙ୍ଗି ଦେଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ ସ୍ୱପ୍ନ। ଏ ଦୃଶ୍ୟ କୌଣସି କୋଟିପତି କି ବଡ଼ବଡ଼ିଆଙ୍କ ଜମି ଜବରଖଲ ଉଚ୍ଛେଦର ନୁହେଁ, ବରଂ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିବା କିଛି ଭୂମିହୀନ ପରିବାର ଉପରେ ସରପଞ୍ଚଙ୍କ ହୁକୁମାତି ଓ ପାଓ୍ୱାର ପ୍ଲେର ସୋ।

କୋଭିଡ୍ ମହାମାରୀ ବେଳେ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାରୁ ତାକୁ ହିଁ ବ୍ୟବହାର କରି ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ଏ ନିରାଶ୍ରମାନଙ୍କ ମୁଣ୍ଡ ଉପର ଛାତକୁ ଏମିତି ଛାରଖାର କରିଦେଇଛନ୍ତି ସରପଞ୍ଚ ମହାଶୟା।

ଏମିତି ଥିଲା ଘଟଣାକ୍ରମ:-

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ଏ ୬ ଆଦିବାସୀ ପରିବାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଘର। ଭୂମିହୀନ ହୋଇଥିବାରୁ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନର ସହମତି ପରେ ସାଲଭେଟା ଗାଁରେ ଖାଲି ପଡ଼ିଥିବା ଏ ସରକାରୀ ଜାଗାରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଓ୍ୱାର୍କ ଅର୍ଡର ପାଇବା ପରେ ସରକାରୀ ଅଧିକାରୀଙ୍କ ନିୟମିତ ଦେଖାଶୁଣାରେ ଆରମ୍ଭ ହୋଇଥିଲା। ନିର୍ମାଣ କାମ ନିୟମ ଅନୁସାରେ ଦୁଇ କିସ୍ତି ଟଙ୍କା ବି ମିଳିସାରିଥିଲା। ଲହୁ-ଲୁହ ଏକାଠି କରି ସଞ୍ଚିଥିବା ଆଉ କିଛି ପୁଂଜି ମିଶାଇ ଛାତ ଯାଏଁ ମୁଣ୍ଡ ଟେକିଥିଲା ଘର।

ହେଲେ କ’ଣ ହେଲା କେଜାଣି, ୧୧ ତାରିଖ ସକାଳେ ହଠାତ ଦଳବଳସହ ପହଞ୍ଚିଥିଲେ ସରପଞ୍ଚଙ୍କ ଟିମ୍। ମାଡାମଙ୍କ ନିର୍ଦ୍ଦେଶରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ ଗୋଟିଏ ପରେ ଗୋଟିଏ ଘର। ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ଅନୁନୟ-ବିନୟକୁ ଭ୍ରୁକ୍ଷେପ କରିନଥିଲେ ସରପଞ୍ଚ।

ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଛି। ପୋଲିସ ବୁଲଡୋଜରକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏପଟେ ଘର ଭାଙ୍ଗିବାକୁ ସରପଞ୍ଚଙ୍କ କ୍ଷମତା ନଥିବା ବିଡିଓ କହିଥିବା ବେଳେ, ସରପଞ୍ଚ କେମିତି ଭାଙ୍ଗିଲେ ତାକୁ ନେଇ ଉଠିଛି ପ୍ରଶ୍ନ?

You might also like