ବଲାଙ୍ଗିର: ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍ରେ ଦୈନିକ ଦୁଇ ଥର ଯାଆ ଆସ କରୁଥିବା ଟ୍ରେନ୍ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୂରା ଖାଲି। ସତ ଜାଣିବାକୁ ଆମେ ବି ଦିନେ ଯାତ୍ରୀ ସାଜିଲୁ ଯାହା ଦେଖିଲୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଏଠି ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍। ମାସେ କି ଦୁଇ ମାସ ନୁହେଁ ବର୍ଷେ ହେଲାଣି ଦୈନିକ ଦୁଇଥର ଚାଲୁଛି ଟ୍ରେନ୍। ଯାହା ରେଳ ଇତିହାସରେ ଅବିଶ୍ୱସନୀୟ।
ଆମେ ସେହି ଟ୍ରେନ୍ରେ ଯାତ୍ରୀ ହୋଇ ଦେଖିଲୁ ଯେ, ବଲାଙ୍ଗିରରୁ-ବିଛୁପାଲ୍ଲି, ୧୯ କିଲୋମିଟର ଯାତ୍ରା କରିବା ପାଇଁ ଟ୍ରେନ୍ ଠିକ୍ ସକାଳ ୬ଟାରେ ବଲାଙ୍ଗିରରୁ ଛାଡ଼ିଲା। ହେଲେ କୌଣସି ବଗିରେ ବି ଜଣେ ହେଲେ ଯାତ୍ରୀ ନାହାନ୍ତି।
କିଛି ବାଟ ଯିବା ପରେ ଶେଷ ବଗିରେ ପାଇଥିଲୁ ମାତ୍ର ୨ଜଣଙ୍କୁ। ଶୀତ ସକାଳ ଯୋଗୁ ଘୋଡ଼ି ଘାଡ଼ି ହୋଇ ବସିଥିଲେ,ସେ ଦୁଇ ଜଣ ଯାତ୍ରୀ। ଆମକୁ ଦେଖି ଟିକେ ଆଶ୍ୱସ୍ତି ହେଲେ ସେମାନେ। ୬ଟା ୨୫ରେ ବିଛୁପାଲ୍ଲୀରେ ଓହ୍ଲାଇଲା ବେଳକୁ ଟ୍ରେନ୍ ପୂରା ଖାଲି ଥିଲା।
ଇଏ ସେଇ ଟ୍ରେନ୍, ଯାହାକୁ ଠିକ୍ ବର୍ଷେ ତଳେ, ମାନେ ୨୦୧୯ ଜାନୁଆରୀ ୧୫ ତାରିଖରେ ଶୁଭାରମ୍ଭ କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖୋର୍ଦ୍ଧା-ବଲାଙ୍ଗିର ରୁଟ୍ରେ ବଲାଙ୍ଗିର ପଟୁ ବିଛୁପାଲ୍ଲି ଯାଏଁ ରେଳ ଧାରଣା କାମ ସରିବା ପରେ ନୂଆ କରି ଗଡ଼ିଥିଲା ରେଳ ଗାଡ଼ି।
ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହୋଇଥିଲା। ହେଲେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଆଖି ତରାଟିଲା ଭଳି ଥିଲା। ୧୨ ମାସ ପରେ ଆଉ ଇଞ୍ଚେ ବି ଆଗକୁ ଯାଇନି ରେଳ ଲାଇନ୍ କାମ। ବିଛୁପାଲ୍ଲୀକୁ ଯାତ୍ରୀ ସଂଖ୍ୟା ବି ବଢୁନି।
ଏମିତିକି ଏହି ରୁଟ୍ ପାଇଁ ଟ୍ରେନ୍ରେ ୩ ଜଣ ଓ ଷ୍ଟେସନରେ ୪ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟ୍ରେନ୍ ଚାଲିବାକୁ ମାସକୁ ଖର୍ଚ୍ଚ ହେଉଛି ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ହେଲେ। ଆୟ ଦିନକୁ ମାତ୍ର ୨୦ଟଙ୍କା ହିସାବରେ ହାରାହାରି ପ୍ରାୟ ୬ଶହ ଟଙ୍କା।
ତେବେ ଏକଥା କଣ, ରେଳ କର୍ତ୍ତୃପକ୍ଷ ଜାଣି ପାରୁନାହଁନ୍ତି ? ଏନେଇ କର୍ତ୍ତୃପକ୍ଷକଙ୍କଠାରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ କିନ୍ତୁ ଏତେ କ୍ଷତିରେ ଚାଲୁଥିବା ଟ୍ରେନ୍କୁ ତୁରନ୍ତ ବନ୍ଦ କରି ଦେବାକୁ ଦାବି ଉଠିଛି। ଚେତ୍ ଶୀଘ୍ର ବୌଦ୍ଧ ଓ ସୋନପୁର ପର୍ଯ୍ୟନ୍ତ ଲାଇନ୍ କାମ ସାରି ଏକ୍ସଟେନ୍ସନ ପାଇଁ ଉଠିଛି ଦାବି।