ଓଡିଶାରେ ପହଞ୍ଚିଲା ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ

ଭୁବନେଶ୍ୱର: ସବୁ ରାଜ୍ୟର ବିଜେପି ମୁଖିଆମାନଙ୍କୁ ବାଜପେୟୀଙ୍କ ଚିତାଭସ୍ମକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଅସ୍ଥିକଳସକୁ ଦିଆଯାଇଛି। ଦେଶର ଏକ ଶହ ନଦୀରେ ବିସର୍ଜନ ହେବ ଦଳର ଆଇଡଲ ବାଜପେୟୀଙ୍କ ଚିତାଭସ୍ମ। ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା, ବୈଦଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଛନ୍ତି ଚିତାଭସ୍ମ କଳସ। ଏହାକୁ ନେଇ ଆଜି ଓଡିଶା ମାଟିରେ ଚିତାଭସ୍ମ ପହଞ୍ଚିଛି। ବିମାନ ବନ୍ଦରରୁ ରାଜ୍ୟ କାର୍ଯ୍ୟାଳୟକୁ ସସମ୍ମାନେ ଅଣାଯାଇଛି ଚିତାଭସ୍ମ। ଦଳୀୟ କାର୍ଯ୍ୟାଳୟରେ ଏହାକୁ ଶେଷ ଦର୍ଶନ ପାଇଁ ରଖାଯାଇ ଆସନ୍ତାକାଲି ମହୋଦଧିରେ ବିସର୍ଜନ କରାଯିବ।

ବାଜପେୟୀଙ୍କ ଚିତାଭସ୍ମକୁ ରାଜ୍ୟର ପ୍ରମୁଖ ୪ଟି ନଦୀ ମହାନଦୀ ,ବ୍ରାହ୍ମଣୀ ବୈତରଣୀ ଓ ଋଷିକୁଲ୍ୟାର ବିଭିନ୍ନ ସ୍ଥାନରେ ବିସର୍ଜନ କରିବାକୁ ଯୋଜନା କରିଛି ବିଜେପି।

ଏଥିସହିତ ଦଳର ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସନ୍ତା ୨୪ ତାରିଖରେ ବିଜେପି ଭୁବନେଶ୍ୱରରେ ସାର୍ବଜନୀନ ଓ ସର୍ବଦଳୀୟ ସଭା କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ ଓ ବିଜେଡି ଏହି ସଭାରେ ଯୋଗ ଦେବାକୁ ସମ୍ମତି ବି ଜଣାଇଛନ୍ତି। କିନ୍ତୁ ଯେଉଁ ଢଙ୍ଗରେ ବିଜେପି ଏ ଆୟୋଜନ କରୁଛି, ତା ପଛରେ ସମବେଦନା ସାଉଁଟିବା ଓ ରାଜନୈତିକ ଫାଇଦାର ବାସ୍ନା ବାରୁଛନ୍ତି ଉଭୟ ଦଳ।

ପ୍ରମୁଖ ନଦୀରେ ଚିତାଭସ୍ମ ବିସର୍ଜନ ପରେ ଜୋନ୍ ସ୍ତରରେ ମଧ୍ୟ ସର୍ବଦଳୀୟ ଓ ସାର୍ବଜନୀନ ସଭା କରିବାକୁ ଯୋଜନା କରିଛି ବିଜେପି। ସର୍ବମାନ୍ୟ ନେତାଙ୍କ ଚିତାଭସ୍ମକୁ ଶୋଭାଯାତ୍ରାରେ ରାଜ୍ୟ ତମାମ ବୁଲାଇ ବିଜେପି ସହାନୁଭୁତି ଯୋଗାଡ଼ ଲକ୍ଷ୍ୟରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

You might also like