ବୈତରଣୀ ଜଳସ୍ତର କମୁଛି : ଜ୍ୟୋତିର୍ମୟ ରଥ

ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ ସଙ୍କେତ ଉପରେ ଥିଲେ ବି ଜଳସ୍ତର କମୁଛି । ଆସନ୍ତା ରାତି ସୁଦ୍ଧା ଏଥିରେ ଆହୁରୀ ସୁଧାର ଆସିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ହେଲେ ସୁବର୍ଣ୍ଣରେଖାରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା ଥିବା ସେ ଦୋହରାଇଛନ୍ତି ।

ବାତ୍ୟା ୟାସ ଓ ବର୍ଷା ପରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ବଢ଼ିଛି । ବାତ୍ୟା ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି । ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀରେ ଜଳସ୍ତର କମିଛି, ହେଲେ ଏବେ ବି ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବୈତରଣୀ । ୧୭.୮୩ ମିଟର ବିପଦ ସଙ୍କେତ ଥିବାବେଳେ ଏବେ ୧୮ ମିଟରରୁ ଅଧିକରେ ପ୍ରଭାବିତ ହେଉଛି । ଫଳରେ ଧାମନଗର, ଭଣ୍ଡାରୀପୋଖରୀ ବ୍ଲକର ଏକାଧିକ ଗାଁରେ ବନ୍ୟା ପାଣି ପ୍ରଭାବିତ ହେଉଛି ।  ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଗାଁରେ ପଶିଛି । ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୈତରଣୀ ପାଣି । ବର୍ଷା ଛାଡ଼ିବା ପରେ ଏବେ ପୁନଃରୁଦ୍ଧାର କାମ ଆରମ୍ଭ ହୋଇଛି।

ସେହିପରି ଉପକୂଳ ଅଞ୍ଚଳରେ ସମୁଦ୍ର ଜୁଆର ରୋକିବା ଲାଗି  ଦୀର୍ଘମିଆଦି ଯୋଜନା କରୁଛନ୍ତି ସରକାର। ଏଥିଲାଗି ୬ରୁ ୭ ହଜାର କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ କରାଯାଉଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୯୪୪ କୋଟି ବ୍ୟୟ ଅଟକଳରେ ୩୮୦ କିମି ଲୁଣାବନ୍ଧ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜ୍ୟୋତିର୍ମୟ ରଥ କହିଛନ୍ତି। ଏହି ୩୮୦ କିଲୋମିଟର ଅଞ୍ଚଳରେ ପଥର ବନ୍ଧ କରାଯିବ ଓ ତା ଉପରେ ଜାଲ ପକାଯାଇ ଗଛ ଲଗାଯିବ ବୋଲି ସେ କହିଛନ୍ତି ।

ଏହାସହ ବାତ୍ୟା କ୍ଷୟକ୍ଷତି ନେଇ ସେ ସୂଚନା ଦେଇଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ କାଣୀ ନଦୀରେ ବ୍ରହ୍ମଚାରୀପାଟଣାରେ ଗୋଟିଏ ଘାଇ ହୋଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା ସେହି ଘାଇ ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ରାଜ୍ୟର ଆଉ କେଉଁଠି ନଦୀବନ୍ଧ କି ଲୁଣାବନ୍ଧ କ୍ଷତି ହୋଇଥିବାର କୌଣସି ଖବର ନାହିଁ ବୋଲି ସେ କହିଛନ୍ତି । ବାଲେଶ୍ୱରରେ ସୁବର୍ଣ୍ଣରେଖାର ଜଳସ୍ତର କମିବା ସହ ବନ୍ୟା ଆଶଙ୍କା ଟଳିଛି ବୋଲି ସେ ସୂଚନା ଦେଇଛନ୍ତି । ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ବସ୍ତା, ବାଲିଆପାଳ ଅଞ୍ଚଳରେ ପାଣି ପଶିଥିଲା। ସେସବୁର ଅନୁଧ୍ୟାନ କରାଯାଉଛି। ରିପୋର୍ଟ ଆସିବା ପରେ କ୍ଷତିପୂରଣ ମିଳିବ ବୋଲି ସେ କହିଛନ୍ତି।

You might also like