ବିଭ୍ରାନ୍ତି ସୃଷ୍ଟି କରୁଛି ଓଡ଼ିଶା ପୁଲିସ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗ ମାମଲା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗର ତଦନ୍ତ ଅାଳରେ ଓଡ଼ିଶା ପୁଲିସ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ହାଜର ହେବା ଲାଗି ତାଙ୍କୁ ପୁଲିସ କରିଥିବା ସମନ ବିଭ୍ରାନ୍ତିକର ଓ  ବିରୋଧାତ୍ମକ ଥିବା ସେ ଟୁଇଟ୍ କରି ଦର୍ଶାଇଛନ୍ତି।

ଏଥିରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି, ୨୧ ତାରିଖରେ ହାଜର ହେବାକୁ ଗତ ୧୯ ତାରିଖ ଦିନ ଅରଖକୁଦା ମେରାଇନ ଥାନାର ଇନଚାର୍ଜ IIC ଥିବା ପୁରୀ ସଦର ଥାନା IIC ତାଙ୍କୁ ଚିଠି କରିଥିଲେ।  ହେଲେ ପୁରୀ ଏସ୍‌ପି ଅାସନ୍ତା ୨୪ରେ ହାଜର ପାଇଁ ନୋଟିସ ଜାରି କରାଯାଇଥିବା ମିଡିଅାକୁ କହିଥିଲେ ।

ଏଥିରୁ ଜଣାପଡ଼ୁଛି ଯେ ପୁଲିସ ଜାଣିଶୁଣି ତାଙ୍କୁ ବାଟବଣା କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ । ଏଥିସହିତ ବୈଜୟନ୍ତ ଅରଖକୁଦା ଥାନାଧିକାରୀଙ୍କୁ ମଧ୍ୟ ଚିଠି ଲେଖି ୧୫ ତାରିଖରେ ଭୁବନେଶ୍ୱରରୁ କେନ୍ଦ୍ରାପଡା ଗରଦପୁରକୁ ହେଲିକପ୍ଟର ଉଡ଼ାଣ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି। ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ଥିଲେ ବି ଇମ୍ଫା ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟର କାହିଁକି ସିଜ୍ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଶାସକ ଦଳ ସହ ଭଲ ସମ୍ପର୍କ ନ ଥିବାରୁ ରାଜନୈତିକ ପ୍ରତିଶୋଧ ପରାୟଣରୁ ତାଙ୍କ ବିରୋଧରେ ଏଭଳି  ମାମଲା କରାଯାଇଥିବା ବୈଜୟନ୍ତ ଅଭିଯୋଗ କରିଛନ୍ତି । ଯେଉଁ ମାମଲାର କୌଣସି ଅାଧାର ନାହିଁ ତାହା ରୁଜୁ କରି ତାଙ୍କୁ ଅଡୁଅାରେ ପକାଇବାକୁ ଚେଷ୍ଟା କରାଯାଉଥିବା ସେ ଦର୍ଶାଇଛନ୍ତି । ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ମାମଲାର ତଦନ୍ତ କରୁଛନ୍ତି । ଅାଉ ଡିଜିସିଏର ତଦନ୍ତ ପରେ ପୁରୀ ପୁଲିସ ତାର ତଦନ୍ତ ପ୍ରକ୍ରିୟାକୁ ଅାଗେଇବାକୁ ବୈଜୟନ୍ତ ଉଲ୍ଲେଖ କରିଛନ୍ତି। ଯଦି ପୁରୀ ପୁଲିସ ଡିଜିସିଏ ତଦନ୍ତକୁ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହେଁ, ତେବେ ହାଜର ହେବା ଲାଗି ତାଙ୍କୁ ଅତିକମରେ ୪ ସପ୍ତାହ ସମୟ ଦେବାକୁ ଅନୁରୋଧ କରିଛନ୍ତି ବୈଜୟନ୍ତ।

You might also like