“ରାଜ୍ୟରେ ବିଗିଡି ଯାଇଛି ଆଇନଶୃଙ୍ଖଳା ସ୍ଥିତି”
ମାହାଙ୍ଗା ଡବଲ ମର୍ଡରକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି
କଟକ: ମାହାଙ୍ଗା ଡବଲ ମର୍ଡରକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଗତକାଲି ଧର୍ମେନ୍ଦ୍ର, ଆଉ ଆଜି ବୈଜୟନ୍ତ ମାହାଙ୍ଗାରେ ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ସ୍ମୃତିସଭାରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୪ବର୍ଷ ତଳେ ସେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ, କିଛି ହେଲାନି ବରଂ ହିଂସା ବଢ଼ିଛି।ସେପଟେ ଏଫଆଇରରେ ନାଁ ଥିବା ଆଇନମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ନେଇ ବିଜେପିର ଆନ୍ଦୋଳନ ଜାରି ରହିଥିବାବେଳେ ଆଜି ମନ୍ତ୍ରୀଙ୍କ ସପକ୍ଷରେ ନିଶ୍ଚିନ୍ତକୋଇଲିରେ ହୋଇଛି ଶୋଭାଯାତ୍ରା।
ନୃତ୍ତାଙ୍ଗରେ ନିଶାନା ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବୈଜୟନ୍ତ କଡ଼ା ନିନ୍ଦା କରିଛନ୍ତି। ଶ୍ରୀପଣ୍ଡା କହିଛନ୍ତି ଯେ, ପୁରା ବିଗିଡ଼ି ଯାଇଛି ରାଜ୍ୟର ଆଇନ ସ୍ଥିତି। ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଦ୍ୱାଦଶାହରେ ଆୟୋଜିତ ସ୍ମୃତି ସଭାରେ ଯୋଗ ଦେଇ ବୈଜୟନ୍ତ କହିଛନ୍ତି ଦୁର୍ନୀତି ଓ ପୂର୍ବ ହତ୍ୟାର ପ୍ରତିବାଦ କରିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଛି।
ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୁଳମଣି ପୋଲିସ ଅଧିକାରୀଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ। ତା ସତ୍ତ୍ୱେ ହତ୍ୟାର ଶିକାର ହେଲ॥ ରାଜନୈତିକ ହତ୍ୟା ଏଠି ନୂଆ ନୁହେଁ, ଅତୀତରେ ୧୬ରୁ ୧୭ଟି ଘଟିଛି। ଏହା ହିଁ ଓଡ଼ିଶାରେ ଆଇନ ସ୍ଥିତି ବିଗିଡ଼ି ଯାଇଥିବାର ପ୍ରମାଣ ଦେଉଛି। ପଶ୍ଚିମବଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇ ଏଠି ବୋଧେ ରାଜନୈତିକ ଉଦ୍ଦେଶ୍ୟ ରଖି ହିଂସା ଚାଲିଛି ଓ ଶାସକ ଦଳର ସ୍ଥାନୀୟ ନେତାଙ୍କ ଦ୍ୱାରା ଏସବୁ ହେଉଛି ବୋଲି ବୈଜୟନ୍ତ କହିବା ସହ, ୪ ବର୍ଷ ତଳେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିବା କହିଥିଲେ।
#ନୃତ୍ତାଙ୍ଗରେ_ନିଶାନା
ମାହାଙ୍ଗା ଡବଲ ମର୍ଡର ଘଟଣାକୁ #BaijayantPanda ଙ୍କ ନିନ୍ଦା। କହିଲେ, ବିଗିଡ଼ି ଯାଇଛି ରାଜ୍ୟରେ ଆଇନ ସ୍ଥିତି#Odisha #Cuttack #Crime #MahangadoublemurderCase pic.twitter.com/detYcp2mKi— ଓଟିଭି (@otvkhabar) January 13, 2021
ଏମିତିକି ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବି କିଛି ବଦଳିଲା ନାହିଁ। ବରଂ ହିଂସା ସହ ଶିଶୁ, ମହିଳା ଓ ରାଜନୈତିକ ହତ୍ୟା ବଢ଼ିଛି ବୋଲି କହିଛନ୍ତି ବୈଜୟନ୍। ତେବେ କୁଳମଣିଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ପୂର୍ବରୁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୃତ୍ତାଙ୍ଗ ଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ମାହାଙ୍ଗାରେ ଘଟୁଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ଏହି ହତ୍ୟାକାଣ୍ଡ ହୋଇଛିା ଏମିତିକି ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସେ ଅବଗତ କରିଥିବା କହିଥିଲେ।
ଗୋଟିଏ ପଟେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ FIRରେ ନାଁ ଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନ ବି ଚାଲୁ ରଖିଛି। ଏଣେ କିନ୍ତୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସପକ୍ଷରେ ବାହାରିଛି ତାଙ୍କ ନିଜ ଦଳ ବିଜେଡି। କଟକ ନିଶ୍ଚିନ୍ତକୋଇଲିରେ ସ୍ଥାନୀୟ ଅଞ୍ଚଳର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ କର୍ମୀମାନେ ଶୋଭାଯାତ୍ରାରେ ଆସି ବିଜେପି ନେତାଙ୍କ ବିରୋଧରେ ନାରାବାଜି କରିଥିଲେ । ଏମିତିକି ଆଇନମନ୍ତ୍ରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ସଂଶ୍ଲିଷ୍ଟ କରାଯିବାରୁ ବିରତ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବେ ବୋଲି କହିଥିଲେ।
ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ, ଓଟିଭି