ପୁରୀ : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ ଆଙ୍କିଥିଲେ ଗ୍ରାମ୍ୟଜୀବନ ଓ ଫୁଲ ଗଛ ପତ୍ରର ଚିତ୍ର।
କେବଳ ଝୋଟି ଚିତା ନୁହେଁ ସଂକୀର୍ତ୍ତନର ତାଳେ ତାଳେ ସୃଷ୍ଟି ହୋଇଥିଲା ଜଗନ୍ନାଥମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଜଣାଣର ତାଳେ ତାଳେ ଓଡିଶୀ ନୃତ୍ୟ ଓ ଦାସକାଠିଆ ଆଦିର ଆଧ୍ୟାତ୍ମିକତା ପରିବେଶରେ ଝୁମିଥିଲେ ଶ୍ରଦ୍ଧାଳୁ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ ପର୍ଯ୍ୟନ୍ତ ଏହି ସ୍ଥାନକୁ ଖାଲି କରାଯିବା ପରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ଯାହା ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କୁ ବେଶ୍ ଆକୃଷ୍ଟ କରୁଛି।
ସେପଟେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତିବାଦ କରିଛନ୍ତି ଉଠାଦୋକାନୀ। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଚ୍ଛେଦ କରିଥିବାରୁ ଥଇଥାନ ଦାବିରେ ଦୀପଜାଳି ଆନ୍ଦୋଳନ କରିଛନ୍ତି।