ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା। ପାରମ୍ପରିକ ରୀତିନୀତି ଅନୁଯାୟୀ ବଡ଼ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ଏହି ପର୍ବରେ ତିନି ଠାକୁର କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମାଆ ମୁତ୍ତୁଲୁଆମ୍ମା ପୂଜା ପାଆନ୍ତି।

ସବୁଥର ପରି ଏଥର ବି ଆନ୍ଧ୍ରପ୍ରଦେଶର ପୋଲେରୁଠାରେ ସ୍ନାନ ଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ତିନି ଠାକୁର, କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମା ମୁତ୍ତୁଲୁଆମ୍ମା।

ଏହି ପର୍ବରେ ଆଦିବାସୀଙ୍କ ଆରାଧ୍ୟ ଦେବା ଦେବୀଙ୍କୁ କଅଁଳ ବାଉଁଶ ମୟୂର ପୁଚ୍ଛ ସାହାଯ୍ୟରେ ପ୍ରତିଷ୍ଠା କରାଯାଏ। ଏହାପରେ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ସ୍ନାନ ଯାତ୍ରାରେ ବାହାରନ୍ତି ଠାକୁର।

ତାଡ଼କା ଢେଉ କୁଣ୍ଡରେ ଠାକୁର ବୁଡ଼ ପକାଇ ସାରିବା ପରେ ଏହି କୁଣ୍ଡରେ ବୁଡ଼ ପକାଇଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ଏହି ପବିତ୍ର ଦିନରେ କୁଣ୍ଡ ନିକଟରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହେ।ଏହି ବଡ଼ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ମାଘ ପୂର୍ଣ୍ଣମାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣମାରେ ଶେଷ ହୋଇଥାଏ।

କିମ୍ବଦନ୍ତି ଅନୁସାରେ, ଦ୍ୱାପର ଯୁଗରେ ଜରାସନ୍ଧକୁ ବଧ କରି କୃଷ୍ଣ, ଭୀମ ଓ ଅର୍ଜୁନ ଏହି କୁଣ୍ଡରେ ବୁଡ଼ ପକାଇ ପାପ ମୁକ୍ତ ହୋଇଥିଲେ। ଏହାକୁ ଆଧାର କରି କେଉଁ ଆବାହନ କାଳରୁ ପାଳିତ ହୋଇ ଆସୁଛି ଏହି ବଡ଼ଯାତ୍ରା। ସ୍ନାନ ଯାତ୍ରା ପରେ ନୌକା ବିହାର ଏହି ଯାତ୍ରାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ। ନବନିର୍ମିତ କାଠଡଙ୍ଗାରେ ନୌକା ବିହାର କରି ମାଲକାନଗିରି ଅଭିମୁଖେ ଯାତ୍ରା କରିଥାନ୍ତି ତିନି ଠାକୁର ଓ ଦେବୀ ଦୁର୍ଗା।

ତେବେ ଚଳିତ ଥର ଭକ୍ତଙ୍କ ସମାଗମ ଦେଖି, ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

You might also like