ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆ ବର୍ଗ ଗୋଟି: ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟର ପ୍ରତିଯୋଗିତା

ଭୁବନେଶ୍ୱର: ରାଜନୈତିକ ଚେସ୍ ପାଲିରେ ଏବେ ପଛୁଆବର୍ଗ ଗୋଟି ଚାଲିଛି। ଏହି ବର୍ଗର ସମର୍ଥନ ହାତେଇବାକୁ କେନ୍ଦ୍ର-ରାଜ୍ୟ ପ୍ରତିଯୋଗିତା ହେଉଛି। ଜାତିଭିତ୍ତିକ ଜନଗଣନା ଦାବି କରି ମାଇଲେଜ୍ ନେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ କରୁଥିବା ବେଳେ ତେଣେ ପଛୁଆବର୍ଗଙ୍କ ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟକୁ ଜାତୀୟ ଓବିସି କମିଶନ ଚିଠି କରିଛି।

ବଡ଼ କଥା ହେଉଛି, ରାଜ୍ୟ କ୍ୟାବିନେଟ୍‌ରେ ସଂଙ୍କଳ୍ପ ପାରିତ ହେବା ପୂର୍ବରୁ ଜାତୀୟ କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖି ପଛୁଆବର୍ଗଙ୍କ ସଂପର୍କରେ ତଥ୍ୟ ମାଗିଥିଲେ। ଯେଉଁଥିରେ ପଛୁଆ ବର୍ଗଙ୍କ ସଂଖ୍ୟା, ସାକ୍ଷରତା, ଏମାନଙ୍କ ମଧ୍ୟରୁ କେତେ ବିପିଏଲ୍, କେତେ ପରିବାର ଉଜ୍ଜଳା, ପ୍ରଧାନମନ୍ତ୍ରୀ ଜନଧନ ଓ ଆବାସ ଯୋଜନାରେ ସାମିଲ ହୋଇଛନ୍ତି, ଏହିଭଳି  ୨୯ଟି ବିଷୟରେ ତଥ୍ୟ ଦେବାକୁ କୁହାଯାଇଛି। ଏମିତିକି ତଥ୍ୟ ପ୍ରଦାନ ଲାଗି କମିଶନ ସ୍ୱତନ୍ତ୍ର ଫର୍ମାଟ ବି ପଠାଇବା ସହ ୧୫ ଦିନ ସମୟ ଦେଇଛନ୍ତି।

ଜାତୀୟ କମିଶନଙ୍କର ଏହି ଚିଠି ଜାତିଭିତ୍ତିକ ଜନଗଣନା ନେଇ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି କି ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ପଛୁଆବର୍ଗ ପାଇଁ କେନ୍ଦ୍ର ଅନେକ ସ୍କିମ୍ ଆଣିଥିବା ବେଳେ ରାଜ୍ୟ ସରକାରଙ୍କର ସେମିତି କିଛି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ତେବେ ଓବିସି ରାଜ୍ୟର ଏକ ପ୍ରମୁଖ ଭୋଟବ୍ୟାଙ୍କ ହୋଇଥିବାରୁ ବିଜେଡି ଜାତିଭିତିକ ଜନଗଣନା ପ୍ରସଙ୍ଗ ଉଠାଇଥିବା ଚର୍ଚ୍ଚା ହେଉଛି। ରାଜ୍ୟ ପ୍ରସ୍ତାବ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।  ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଓ ଓବିସି କମିଶନ ଗଠନ ନେଇ ସେ ଦାବି ଜଣାଇଥିଲେ। ସେପଟେ  ଓବିସି କମିଶନଙ୍କ ଚିଠି ସାମନାକୁ ଆସିବାପରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚାନ କରିଛି।

 

ଦିଲ୍ଲୀରେ ଅନୁଷ୍ଠିତ ଜନଗଣନା ପ୍ରସ୍ତୁତି ବୈଠକରେ ଓଡ଼ିଶା ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲା। ତେବେ କେନ୍ଦ୍ର ଏହାକୁ ଗ୍ରହଣ କରୁଛି ନା ନାହିଁ ତାହା ସ୍ପଷ୍ଟ ହୋଇନି। ମାତ୍ର ଓବିସି କମିଶନଙ୍କ ଚିଠି ପଛୁଆବର୍ଗ ପ୍ରସଙ୍ଗକୁ ନେଇ ନୂଆ ବିବାଦ ସୃଷ୍ଟି କରିଛି।

 

You might also like