ସିନେମାଟୋଗ୍ରାଫରରୁ ମୋମୋ ବିକ୍ରେତା : କରୋନା ବଦଳାଇ ଦେଲା ଜୀବନଶୈଳୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି ସାଜିଛନ୍ତି ମୋମୋ ବିକ୍ରେତା । କଟକ ଝାଞ୍ଜିର ମଙ୍ଗଳାର ସୂଚୀସ୍ମିତା ରାଉତରାୟଙ୍କର ଏଭଳି କାହାଣୀ ମନକୁ ଆନ୍ଦୋଳିତ କରିବ ନିଶ୍ଚୟ ।  ମହାମାରୀ କରୋନା ବଦଳାଇ ଦେଇଛି ତାଙ୍କର ଜୀବନର ଗତିପଥ  ।

ସିନେମାରେ କାମ କରିବାର ମୋହ ସୂଚିସ୍ମିତାଙ୍କୁ ୨୦୧୫ ଜୁଲାଇରେ ମାୟାନଗରୀ ଟାଣି ନେଇଥିଲା। ଅନେକ ସଂଘର୍ଷ ଓ କଠିନ ପରିଶ୍ରମ ପରେ ବଲିଉଡ଼ରେ ଜଣେ ଆସିଷ୍ଟାଣ୍ଡ କ୍ୟାମେରା ମ୍ୟାନ୍ ଭାବେ ସେ କାମ କରୁଥିଲେ। ହେଲେ ଲକଡାଉନରେ କାମ ନ ମିଳିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେଠାରେ ସ୍ଥିତି ସୁଧୁରିବା ଆଶାରେ ମାସ ପରେ ମାସ ଅପେକ୍ଷା କରିଥିଲେ ।  ମହାମାରୀ ଦିନକୁ ଦିନ ବଢ଼ି ବଢ଼ି ଚାଲିଲା ସିନା, କମିବାର ନା ଧରିଲାନି। ପାଖରେ ଥିବା ସମସ୍ତ ସେଭିଂ ମଧ୍ୟ ଶେଷ ହୋଇ ଯାଇଥିଲା। ଫଳରେ ସୂଚିସ୍ମିତା ବାଧ୍ୟ ହୋଇ ଡିସେମ୍ବର ମାସରେ ମୁମ୍ବାଇରୁ ଫେରିଆସିଥିଲେ କଟକ ।

ଆଉ ଏଠାରେ ପରିବାରର ପେଟ ପୋଷିବା ପାଇଁ ସେ ରାସ୍ତା କଡ଼ରେ ମୋମୋ ବିକ୍ରି କରିବା ଆରମ୍ଭ କରିଦେଲେ ।  ଏବେ ସେ ଠେଲା ପକାଇ ଭେଜ୍ ମୋମୋ, ମଶୃମ ମୋମୋ, ପନୀର ମୋମୋ, ଚିକେନ୍ ମୋମୋ ଆଦି ତିଆରି କରି ଖୁସି ଖୁସି ଲୋକଙ୍କୁ ପରସି ଦେଉଛନ୍ତି। ଅନ୍ୟପଟେ ଏତେ ପ୍ରକାର ମୋମୋ ଦେଖି ତାଙ୍କ ଷ୍ଟଲରେ ଲୋକଙ୍କର ମଧ୍ୟ ବେଶ୍ ଭିଡ଼ ଜମୁଛି। ଖୁବ ଆନନ୍ଦରେ ଭିନ୍ନ ଭିନ୍ନ ପ୍ରକାରର ମୋମୋ ଖାଉଛନ୍ତି ଲୋକେ। 

 

You might also like