ସମସ୍ତେ ଜାଣିଥିଲେ ସେ ଜଣେ ଭିକାରି, ହେଲେ ଜଣାପଡ଼ିଲା ସେ…

ପୁରୀ: ଆଜିକାଲି ଶିକ୍ଷିତ ଯୁବକଯୁବତୀମାନେ ଚାକିରି ନ ପାଇ କିଏ ଅଟୋ ଚଲାଇ ପରିବାର ଭରଣପୋଷଣ କରୁଛନ୍ତି ତ ଆଉ କିଏ ଚା’ ଦୋକାନ କରି। ଏମିତିରେ ବି ଭାଗ୍ୟର ବିଡ଼ମ୍ବନା କେତେବେଳେ ଯେ କାହାକୁ କେଉଁ ସ୍ଥିତିକୁ ନେଇ ଆସିବ ତାହା କେହି କହିପାରିବେ ନାହିଁ। ଏମିତି ଏକ ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି।

ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟକ୍ତି ଜଣକ ସବୁଦିନ ଭଳି ଗତକାଲି ମଧ୍ୟ ବଡ଼ଦାଣ୍ଡରେ ବସିଥିଲେ। ସମସ୍ତେ ତାଙ୍କୁ ଜଣେ ଭିକାରି ଭାବେ ଜାଣନ୍ତି। ହେଲେ ଏବେ ତାଙ୍କର ପ୍ରକୃତ ପରିଚୟ ଜଣାପଡ଼ିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତରେ ସେ ଜଣେ ବି.ଟେକ୍‌ ଇଞ୍ଜିନିୟର। ତାଙ୍କ ଘର ଭୁବନେଶ୍ୱର ନୀଳାଦ୍ରୀ ବିହାର ଅଞ୍ଚଳରେ। ତାଙ୍କ ନାଁ ଗିରିଜା ଶଙ୍କର ମିଶ୍ର। ଗିରିଜାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି।

ଘଟଣାଟା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏକ ଏତଲା ସେ ଇଂରାଜୀରେ ଲେଖିଥିଲେ।

ସୂଚନା ଅନୁସାରେ ଗତକାଲି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଗିରିଜାଙ୍କର ଗୌଡ଼ିୟ ମଠ ପାଖରେ ଜଣେ ରିକ୍ସା ଚାଳକଙ୍କ ସହ ବଚସା ହୋଇଥିଲା। ଏହାପରେ ବଚସା ଗଣ୍ଡଗୋଳର ରୂପ ନେଇଥିଲା। ରିକ୍ସା ଚାଳକ ଜଣକ ଗିରିଜାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ। ଏହାପରେ ଗିରିଜା ଏହି ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ। ସେ ଇଂରାଜୀରେ ଲେଖିଥିବା ଏତଲାରୁ ତାଙ୍କର ପ୍ରକୃତ ପରିଚୟ ସମ୍ପର୍କରେ ଜଣାପଡ଼ିଥିଲା।

ତେବେ ସେ କାହିଁକି ଭିକ୍ଷାବୃତ୍ତି କରୁଛନ୍ତି ଏ ନେଇ କିଛି କାରଣ ସ୍ପଷ୍ଟ କରି ନାହାନ୍ତି ଗିରିଜା।

You might also like