ଆସ୍କା(ମନୋଜ ମୁନି) ବୟସ ଯେତିକି, ଦୁଃଖ ତା’ର ପାଞ୍ଚଗୁଣା । ଦୁନିଆକୁ ଭଲଭାବରେ ଦେଖିନି, ହେଲେ  କଡଲେଉଟାଣି କଷ୍ଟ  ତା’ର  ନିତିଦିନିଆ ।  ଘର କୋଣର ବିଛଣା ତାର ଏକମାତ୍ର ଠିକଣା । ସେଇଠି ଜୀବନ , ସେଇଠି ଯନ୍ତ୍ରଣା । ସେ ଜାଣିନି, ନିଜ ଜୁଳୁଜୁଳୁ ଚାହାଣି ଆଉ କାହାକୁ ଜଳାଇ ମାରୁଛି । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ ଗାଁର କୃଷ୍ଣଚନ୍ଦ୍ର ସେଠୀଙ୍କ ପାଞ୍ଚ ବର୍ଷର ପୁଅ ଆୟୁଷ୍ର ଅସହ୍ୟ ଯନ୍ତ୍ରଣାରେ ଘାଂଟି ହେଉଛନ୍ତି।

ବାପା ମା ଙ୍କ ଆଖିରେ ଥିଲା ହଜାରେ ସ୍ୱପ୍ନ। ମନରେ ଥିଲା ପୁଅ ବଡ଼ ହୋଇ  ଅନ୍ୟ ପିଲାଙ୍କ ପରି ସ୍କୁଲ ଯିବ, ଆଉ ପାଠ ପଢି ଭଲ ମଣିଷ ହେବ । ହେଲେ ବିଧିର ବିଧାନ ଥିଲା କିନ୍ତୁ ଅଲଗା । ଧୂଳିସାତ ହୋଇଗଲା ବାପା ଓ ମା’ଙ୍କ ସବୁ ସ୍ୱପ୍ନ । ପାଠ ପଢା ତ ଦୂରର କଥା , ଯଦି ଆୟୁଷ ବିଛଣାରୁ ଉଠି ଚାଲ ବୁଲ କରି ପାରିଥାନ୍ତା ତାହାହେଲେ ବାପ ମାଆଙ୍କ ପାଇଁ ବଡ କଥା ହେବ । ପୁଅ ଆୟୁଷକୁ ଧରି ବାପା କୃଷ୍ଣ ଅନେକ ଡାକ୍ତରମାନଙ୍କୁ ଦେଖାଇଛନ୍ତି ଏବଂ ଏଥିପାଇଁ ଚିକିତ୍ସାରେ ସବୁ ସମ୍ପତ୍ତି ସାରିଦେଲେଣି । ଏବେ କିନ୍ତୁ ଅର୍ଥ ଅଭାବରୁ ଆୟୁଷର ଚିକିତ୍ସା ଅଧାରେ ଅଟିକିଛି । ଦିନ ମଜୁରିଆ ଏହି ପରିବାର ଲୋକେ ଏବେ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହଯ୍ୟ ମିଳିଲେ ଆୟୁଷ ଭଲହେବ ଏହି ଶେଷ ଆଶାରେ ବଞ୍ଚିଛନ୍ତି ପରିବାର ଲୋକ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡ଼ବନ୍ଦ ଗ୍ରାମର କୃଷ୍ଣ ସେଠୀଙ୍କ ପାଞ୍ଚ ପ୍ରାଣୀର କୁଟୁମ୍ବ । କୃଷ୍ଣ ଜଣେ ଦିନ ମଜୁରିଆ । ସୁରଟ ଯାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଘରେ ୬୦ ବର୍ଷୀୟା ବୁଢ଼ୀ ମା’ ଭାସି ସେଠୀ, ସ୍ତ୍ରୀ ସୁମିତ୍ର।,୧୧ବର୍ଷ ର ଝିଅ ଆଦ୍ୟାଶା ଏବଂ ୫ବର୍ଷର ପୁଅ ଆୟୁଷକୁ ନେଇ କୃଷ୍ଣଙ୍କ ୫ ପ୍ରାଣୀର କୁଟୁମ୍ବ । ତାଙ୍କ ପାଇଁ ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ପୁଅ ଆୟୁଷଙ୍କ  ଚିକିତ୍ସା। ପୁଅର ଅଜଣା ରୋଗର ଚିକିତ୍ସା ପାଇଁ ସେ ବିଭିନ୍ନ ମେଡିକାଲକୁ ଯାଇ ଲକ୍ଷ ଲକ୍ଷ ଟଙ୍କା  ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ରୋଗ ବିଷୟରେ ଡାକ୍ତରମାନେ କିଛି କହିପାରୁ ନାହାଁନ୍ତି । କହୁଛନ୍ତି  ଆୟୁଷର ଚିକିତ୍ସା ଲମ୍ବା ସମୟ ଲାଗିବ । ଏଣୁ ପୁଅର ଚିକିତ୍ସା ଲାଗି  ଧାର କରଜ କଲେଣି ଏବଂ ସର୍ବସ୍ୱ ସାରିଦେଲେଣି ।  ଆଗକୁ ଆୟୁଷର ଚିକିତ୍ସା ପାଇଁ ଯେ କୌଣସି ବଦାନ୍ୟ ବ୍ୟକ୍ତିଙ୍କୁ ଆକୁଳ ପ୍ରାର୍ଥନା କରିଛନ୍ତି ।

କୃଷ୍ଣଚନ୍ଦ୍ରଙ୍କ ଏଭଳି ଅବସ୍ଥା ଯୋଗୁ ପଂଚାୟତ ସ୍ତରରେ ଯେତିକି ସୁବିଧା କରିବା କଥା ତାହା କରାଯାଇଛି। ଆୟୁଷଙ୍କ ଚିକିତ୍ସା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପାଇଁ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ। ଏପରିକି ସେ ବିଧାୟକଙ୍କଠାରୁ ଆର୍ଥିକ ସହାୟତା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ।

ଆଶା କରୁଛୁ ସରପଞ୍ଚ ମହୋଦୟ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବେ । ଆୟୁଷର ଚିକିତ୍ସାରେ ସହାୟତା କରିବେ । ତେବେ କେବଳ ସରକାର କାହିଁକି ଆପଣମାନେ ଚାଁହିଲେ ମଧ୍ୟ ଆୟୁଷଙ୍କୁ ସାହାଯ୍ୟ କରିପାରିବେ । ସାହାଯ୍ୟ କରିବା ପାଇଁ ଇଚ୍ଛା କରୁଥିଲେ ନିମ୍ନଲିଖିତ ଠିକଣାରେ ଆପଣ ଯୋଗାଯୋଗ କରିପାରିବେ।

  • ନାମ୍- କୃଷ୍ଣଚନ୍ଦ୍ର ସେଠୀ
  • ଗ୍ରାମ- ଝାଡବନ୍ଧ
  • ପୋଷ୍ଟ୍- ଝାଡବନ୍ଧ
  • ଭାୟା- ଧରକୋଟ୍
  • ଜିଲ୍ଲା- ଗଞ୍ଜାମ
  • ଫୋନ ନମ୍ବର- ୯୭୭୭୧୧୪୪୪୯    

Other Stories