ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ ମିଳିନି କରୋନା ଟିକା
ଭୁବନେଶ୍ୱର: ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଟିକା ମିଳିନି। କରୋନା କାଳ ରେ ଜୀବନକୁ ବାଜି ଲଗାଇ ରୋଗୀ ସେବା କରିଥିବା ଏହି ଡାକ୍ତରଙ୍କୁ ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଗଲାଣି।
ଏମିତି କି ଦ୍ୱିତୀୟ ପର୍ଯ୍ୟାୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ବି ଟିକା ଦିଆଗଲାଣି। ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବାକୁ ଆଉ ମାତ୍ର କେଇଦିନ ବାକି ରହିଛି, ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ଟିକା ମିଳିନି। ୨୦୨୦ ଅକ୍ଟୋବର ୧୯ରୁ ଟିକାକରଣ ପାଇଁ ତାଲିକା ପଠାଯାଇଛି, ମାତ୍ର ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କିଛି ବି ପ୍ରତ୍ୟୁତ୍ତର ମିଳି ନ ଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି।
ଆହୁରି ପଢନ୍ତୁ: ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି ଭିକ ମାଗିଲେ କୋଭିଡ ଯୋଦ୍ଧା
ସୂଚନା ମୁତାବକ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ୬୨ଟି ହୋମିଓପାଥି ମେଡ଼ିକାଲରେ କାର୍ଯ୍ୟରତ ୧୦୫ ଡାକ୍ତର ତଥା କର୍ମଚାରୀ ଓ ୬୧ ଆୟୁର୍ବେଦ ଡିସପେନ୍ସାରୀର ୧୨୯ଜଣ ଡାକ୍ତର ଓ କର୍ମଚାରୀ ଟୀକା ପାଇନାହାନ୍ତି। ଡାକ୍ତରଙ୍କ ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।
ସିଡିଏମ୍ଓ ଖୋର୍ଦ୍ଧା ଓ ସିଡିଏମ୍ଓ ପୁରୀକୁ ଆମେ ଡାଟାବେସ୍ ଦେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ମେସେଜ୍ ଆସିନାହିଁ। ସରକାରୀ ସ୍ତରରେ କାହାକୁ ବି ଟିକାକରଣ କରାଯାଇପାରିନାହିଁ। ୬ ମାସ ଧରି ଆମେ ଯୁଦ୍ଧ କରିଛୁ। କଣ୍ଟାକ୍ଟ ଟ୍ରେସିଂ, ସର୍ଭେଲାନ୍ସ ସବୁକିଛି କରିଛୁ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଆମର ଟିକାକରଣ ହୋଇନାହିଁ।
-ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର, ହୋମିଓପାଥି ଚିକିତ୍ସା ଅଧିକାରୀ
ଖୋର୍ଦ୍ଧା, ନାୟାଗଡ଼ ଓ ପୁରୀ ଜିଲ୍ଲାରେ ସମସ୍ତଙ୍କୁ କରୋନା ଟିକା ଦିଆଗଲା, କିନ୍ତୁ ଆୟୁର୍ବେଦ ଓ ହୌମିଓପାଥି ଡ଼ାକ୍ତରମାନଙ୍କୁ ମିଳିଲାନି। ଏହା ଅତ୍ୟନ୍ତ ଦୁଃଖଦାୟକ। ଡାଟାବେସ୍ରେ ତାଲିକା ପଠାଇଥିଲୁ, ଫୋନ୍ ବି କରିଛୁ। ହ୍ୱାଟ୍ସଆପ୍କୁ ମେସେଜ୍ ଆସିବ ବୋଲି ସେମାନେ କହିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମେସେଜ୍ ଆସିନାହିଁ।
-ଡାକ୍ତର ରେଣୁପ୍ରଭା ମହାପାତ୍ର, ଆୟୁର୍ବେଦ ଚିକିତ୍ସାଧିକାରୀ