ଆବାସ ଲୋଗୋକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ବିଜୁ ପକ୍କା ଘର ଷ୍ଟିକର ନ ଲଗାଇବାକୁ କେନ୍ଦ୍ରର ଚିଠି

  • ଆବାସ କଳିରେ ପଡ଼ିବ କି ଫୁଲ୍ ଷ୍ଟପ?
  • କେନ୍ଦ୍ରର ଚିଠି ପରେ ଶେଷ ହେବ କି ଶ୍ରେୟ ରାଜନୀତି?
  • ପ୍ରଧାନମନ୍ତ୍ରୀ ଆବାସରେ ଲାଗିବନି ବିପିଜିଓ୍ୱାଇ ଷ୍ଟିକର
  • ବିଜୁ ପକ୍କା ଘର ଷ୍ଟିକର ନ ଲଗାଇବାକୁ କେନ୍ଦ୍ରର ଚିଠି

ଭୁବନେଶ୍ୱର: ଗରିବଙ୍କୁ ଘର ଦେଇ ଶ୍ରେୟ ନେବାକୁ ଲାଗିଥିବା କେନ୍ଦ୍ର-ରାଜ୍ୟ କଳିରେ ଟୁଇଷ୍ଟ ଆସିଛି। ଏଣିକି ଆବାସ ଯୋଜନାରେ ମିଳୁଥିବା ଘରରେ କେବଳ ଲାଗିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ। ସେଥିରେ ରାଜ୍ୟର ବିଜୁ ପକ୍କା ଘର ଷ୍ଟିକର ନଲଗାଇବାକୁ ଚିଠି ଲେଖି ସିଧା ସିଧା ମନା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ସଚିବ। ଆଉ ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ତୁମ୍ବିତୋଫାନ। ସେପଟେ ରାଜ୍ୟ ସରକାର ବି ଯୋଜନା ବାବଦରେ ପାଖାପାଖି ୫୦ ପ୍ରତିଶତ ଖର୍ଚ୍ଚ କରୁଥିବାରୁ ବିଜ୍ଜୁ ପକ୍କା ଘର ନାଁ ବି ରହିଲେ ଅସୁବିଧା କେଉଁଠି ବୋଲି ବିଜେଡି ପ୍ରଶ୍ନ ଉଠାଇଛି।

ଆବାସ କଳିରେ ପଡିବ କି ଫୁଲ୍ ଷ୍ଟପ? ଶ୍ରେୟ ରାଜନୀତିର ହେବ କି ଦି ଏଣ୍ଡ? କାରଣ ଆବାସ ଯୋଜନା ଘରଗୁଡିକରେ ଆଉ ଲାଗିବନି ବିଜୁ ପକ୍କା ଘର ଷ୍ଟିକର, କେବଳ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା। କେନ୍ଦ୍ରୀୟ ଯୋଜନାକୁ ଅବିକଳ ଲାଗୁ ପାଇଁ ଚିଠିରେ କୁହାଯାଇଛି। ଏଣେ ଆଓ୍ୱାସ ଯୋଜନାକୁ ନେଇ କେନ୍ଦ୍ରର ଏଭଳି କଡ଼ା ଆଭିମୁଖ୍ୟ ପରେ ବିଧାନସଭାରେ କଂପନ ଦେଖିବାକୁ ମିଳିଛି।

ଚଞ୍ଚକତା କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରୁଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ତେବେ ବିଜେଡି ଏହାକୁ ଗୃହରେ କାଉଣ୍ଟର କରିବା ସହ ଦଳୀୟ ମୁଖ୍ୟାଳୟରେ ପ୍ରେସମିଟ୍‌ କରି ଯୁକ୍ତି ବାଢ଼ିଛି। ଏହି ଗୃହ ନିର୍ମାଣ ଯୋଜନାରେ ରାଜ୍ୟ ସରକାର ପାଖାପାଖି ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ବିଜୁ ପକ୍କା ଘରର ଲୋଗୋ ରହିଲେ ଅସୁବିଧା କେଉଁଠି ରହୁଛି ବୋଲି ଦଳ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଆବାସ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏଥିରୁ ଶ୍ରେୟ ନେବାକୁ କେବେବି ଚେଷ୍ଟା କରିନି ବୋଲି ଦଳୀୟ ବିଧାୟକ ତାରାପ୍ରସାଦ ବିହାନୀପତି କହିଥିଲେ।

ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ କଳି ଭିତରେ ଦ୍ୱନ୍ଦ୍ୱରେ ପଡିଛନ୍ତି ହିତାଧିକାରୀ। କାରଣ ଯୋଜନା ବାସ୍ତବରେ କାହାର ତାହା ଜାଣିପାରୁନାହାନ୍ତି ସାଧାରଣ ଲୋକ। ଯେମିତି ମୟୂରଭଞ୍ଜ ରାଇରଙ୍ଗପୁର ବିଜତଳା ବ୍ଲକର ମୁଣ୍ଡକଟା ଗାଁର ବାଡୁ ମୁର୍ମୁ ବର୍ଷକ ତଳେ ଘର ପାଇଥିଲେ ବାଡୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋ ବି ଲାଗିଥିଲା। ହେଲେ ୨ ଦିନ ତଳେ ବିଜୁ ପକ୍କା ଘର ନାଁରେ ସିମେଣ୍ଟ ବୋର୍ଡ ମାରିଛି ସ୍ଥାନୀୟ ପ୍ରଶାସନ। କିଛି ଦିନ ହେବ ପୂରା ବ୍ଲକରେ ଆବାସ ଘରଗୁଡିକରେ ପ୍ରଶାସନ ପକ୍ଷରୁ ବିଜୁ ପକ୍କା ଘର ଷ୍ଟିକର ଲଗାଉଥିବା ଅଭିଯୋଗ ହୋଇଛି। ସେହିପରି ଏମିତି ସମାନ ଚିତ୍ର ଦେଖିଆବକୁ ମିଳିଛି ଯାଜପୁର ଜିଲ୍ଲା ନଗଡାର ପାଦଦେଶରେ ଥିବା ସୁକିନ୍ଦା ବ୍ଲକ ଅଶୋକଝର ଗାଁରେ। ଏଠି ବି ସମାନ କଳି ଦେଖିବାକୁ ମିଳିଛି। ଗାଁରେ ନିର୍ମାଣ ହୋଇଥିବା ୧୦ଟି ଯାକ ଆବାସ ଘରେ ଲାଗିଛି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲୋଗୋ।

ଆବାସ ଯୋଜାନର ଶ୍ରେୟ ନେବାକୁ କେନ୍ଦ୍ର ଓ ରାଜ୍ୟ ଭିତରେ ଟଣାଓଟରା ଲାଗି ରହିଛି। ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ରାଜ୍ୟପାଳ ଏବଂ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଥିଲେ ବିଜେପି ପ୍ରତିନିଧି ଦଳ। ତେବେ କେନ୍ଦ୍ରର କଡ଼ା ନିର୍ଦ୍ଦେଶ ପରେ ଆଗକୁ ଏ ଯୋଜନାରେ କେବଳ କେନ୍ଦ୍ର ଲୋଗୋ ରହୁଛି କି ନାହିଁ, ତା ଉପରେ ନଜର ରହିଛି।

ରାଇରଙ୍ଗପୁରରୁ ରାଜେଶ ଶର୍ମା, ଯାଜପୁରରୁ ଅଭୟ ପତି ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ।

You might also like