ଲମ୍ବୁଛି ନବୀନଙ୍କ ମନ୍ତ୍ରୀ ପାହ୍ୟା ତାଲିକା

ଭୁବନେଶ୍ୱର : ପ୍ରଥମେ ଉପଦେଷ୍ଟା ପଦ ଓ ଆଉ ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦ। ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ୧୨ ଉପଦେଷ୍ଟା ପଦ ସୃଷ୍ଟି କରିଥିବା ନବୀନ ଏମାନଙ୍କ ଭିତରୁ ୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି।

ବଡ଼କଥା ହେଉଛି ଏ ୭ ନେତା ଏଥର ନିର୍ବାଚନ ଲଢ଼ିନଥିଲେ। ପରେ ସରକାର ମିଶନଶକ୍ତି ଉପଦେଷ୍ଟାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ପରି ନୂଆ ପଦ ସୃଷ୍ଟି କରି ଏମାନଙ୍କୁ ଥଇଥାନ କରିବା ପରେ ମନ୍ତ୍ରୀ ପାହ୍ୟା ଦେଇଛନ୍ତି। ମନ୍ତ୍ରୀମାନେ ପାଉଥିବା ଦରମା, ଭତ୍ତା ପରି ଏମାନେ ବି ସମାନ ଦରମା ପାଇବେ। ଘର ଓ ଅନ୍ୟ ସରକାରୀ ସୁବିଧା ବି ମିଳିବ।

ତେବେ କେବଳ ଏ ୭ ନେତା ନୁହଁନ୍ତି, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ୧୨ ବିଧାୟକଙ୍କୁ ବି ସରକାର ଦେଇଛନ୍ତି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ୯ଜଣ ନେତାଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ନେତାଙ୍କ ସନ୍ତୁଷ୍ଟୀକରଣ ପାଇଁ ଏତେ ସଂଖ୍ୟକ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୃଷ୍ଟି କରି ସରକାର ରାଜକୋଷ ଉପରେ ଅଯଥା ଚାପ ପକାଉଛନ୍ତି  ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।

ସମ୍ବିଧାନର ୯୧ତମ ସଂଶୋଧନ ଅନୁସାରେ ମୋଟ ବିଧାୟକଙ୍କ ଭିତରୁ ୧୫ ପ୍ରତିଶତ ନେତାଙ୍କୁ ମନ୍ତ୍ରୀ ଭାବେ ନେଇପାରିବେ ସରକାର। ଏ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ୨୨ ଜଣ ରହିପାରିବେ। ତେବେ ମନ୍ତ୍ରୀ ପାହ୍ୟା ଦେଇ ଗଳାବାଟ ବାହାର କରିବାରେ ଅସୁବିଧା ନଥିବାରୁ ମନ୍ତ୍ରୀଙ୍କୁ ଛାଡ଼ି ସଂଖ୍ୟା ଏବେ ୩୪ ଛୁଇଁଲାଣି।  ଆଗକୁ ଏ ସଂଖ୍ୟା ଆହୁରି ବଢିପାରେ। ଦଳର ଇସ୍ତାହାର ଅନୁସାରେ ଜିଲ୍ଲାସ୍ତରରେ ଏସ୍ଏଚ୍‌ଜି ଫେଡେରସନ୍‌ର ମୁଖ୍ୟଙ୍କୁ ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟସ୍ତରୀୟ ମୁଖ୍ୟଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ସମ୍ଭାବନା ରହିଛି। ତେବେ ପ୍ରଶ୍ନ ଉଠୁଛି ମନ ଇଛା ଶତାଧିକ ସଂଖ୍ୟାରେ ନେତାଙ୍କୁ ମନ୍ତ୍ରୀପାହ୍ୟା ଦେଇପାରିବେ କି ସରକାର।

ରାଷ୍ଟ୍ରମନ୍ତ୍ରୀ ବାଦ ସରକାର ସ୍ୱାସ୍ଥ୍ୟ ବିଭାଗ ଉପଦେଷ୍ଟା ଶୀନାଥ ରେଡି ଓ ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା ବି ଦେଇଛନ୍ତି। ପ୍ରଥମ ଥର ପାଇଁ କିଛି ନେତାଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଅବସ୍ଥାପିତ  କରିଥିବା ବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାରଙ୍କୁ ମୁଖ୍ୟଶାସନ ସଚିବ ପାହ୍ୟା ଦେଇଛନ୍ତି ସରକାର।

You might also like