ଭୁବନେଶ୍ୱର: ଚକ ଗଡ଼ିଲେ ସଂସାର ଗଡେ, ପେଟକୁ ଦିମୁଠା ଦାନା ମିଳେ। ରୋଗ ଦୁଃଖରେ ଖର୍ଚ୍ଚ ହୁଏ। କିଏ ଋଣ କିସ୍ତି ଦିଅନ୍ତି, ତ ଆଉ କିଏ ଘରଭଡ଼ା। ହେଲେ ନିଷ୍ଠୁର କରୋନା କୋପରେ ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ବିଗିଡ଼ିଯାଇଛି ତେଲଲୁଣର ସଂସାର। ଏ ଭୁବନେଶ୍ୱର ବିଶେଶ୍ୱର ବସ୍ତିର ଉର୍ମିଳା ନାୟକ। ବୟସ ପ୍ରାୟ ୫୫ ବର୍ଷ। ପରିବାର କହିଲେ, ଝିଅ ଜ୍ୱାଇଁ। ସମ୍ବଳ କହିଲେ ଋଣରେ ଆସିଥିବା ଅଟୋ ଖଣ୍ଡିକ। ହେଲେ ଲକ୍‌ଡାଉନ ପରଠୁ ସବୁ ବନ୍ଦ। ଅଟୋରେ ପଡ଼ିଥିବା ତାଲା ଓ ଶିକୁଳିରେ ଲାଗିଲାଣି କଳଙ୍କି। ଉର୍ମିଳାଙ୍କ ଜ୍ୱାଇଁ ଅଟୋ ଚଲେଇଲେ ଘରେ ଚୁଲି ଜଳେ। ମାସିକ ଘର ଖର୍ଚ୍ଚ, ଅଟୋ ବାବଦ କିସ୍ତି ସହ ଉର୍ମିଳାଙ୍କ ପାଇ ଔଷଧ କିଣାହୁଏ। କିନ୍ତୁ ଦୀର୍ଘଦିନ ହେଲା ଲକଡାଉନ୍ ମାଡ଼ରେ ଅଟୋ ବନ୍ଦ।

ସେହିପରି ଆଉ ଜଣେ ହେଲେ ବସନ୍ତ କୁମାର ଦାସ। ମାସକୁ ଘର ଭଡ଼ା ଦିଅନ୍ତି ୨୫୦୦ ଟଙ୍କା। ସ୍ଥିତି ଏଭଳି ହେଲା ଯେ ଗୋଟେ ବୋଲି ପୁଅକୁ ମାମୁ ଘରେ ଛାଡ଼ି ଦମ୍ପତି ଭୁବନେଶ୍ୱରରେ। ସମାନ ଦଶା ଅଲେଖ କୁମାର ନାୟକଙ୍କର। ଗାଡି ଗଡ଼ିଲେ ପେଟକୁ ଦାନା ମିଳେ, ପରିବାର ଚଳେ। କିନ୍ତୁ ଦୀର୍ଘଦିନ ହେଲାଣି, ଅଟୋ ବନ୍ଦ ଯୋଗୁ ଗୁଜୁରାଣ ମେଣ୍ଟାଇବା ପାଇଁ ଆଉ କୌଣସି ବିକଳ୍ପ ନଥିବାରୁ ଚିନ୍ତାରେ ଅଟୋଚାଳକ।

କେବଳ ରାଜଧାନୀର ଅଟୋ ଚାଳକଙ୍କ ଯେ, ଏଭଳି ଦୁର୍ଦ୍ଦଶା ତାନୁହେଁ। କଟକର ରାସ୍ତାଘାଟରେ ପରିବହନର ଲାଇଫଲାଇନ୍ ସାଜିଥିବା ଅଟୋର ଆଜିକାଲି ଦର୍ଶନ ମିଳୁନି। ତାଲାବନ୍ଦ ପରଠୁ କାହା ଅଟୋ ରାସ୍ତା କଡରେ ତ ଆଉ କାହା ଘରେ ପଡି ପଡି ଖତଖାଉଛି। ପରିଣାମ ସ୍ବରୂପ, ଅଧିକାଂଶ ଅଟୋ ଚାଳକଙ୍କ ବଢ଼ିଯାଇଛି ଅନ୍ନଚିନ୍ତାା

ରାଣୀହାଟ ଗୋପାଳ ସାହିର ସନ୍ତୋଷ କୁମାର ବେହେରା ୨୦୧୯ରେ ଋଣ କରଜ କରି ଅଟୋ ଖଣ୍ଡେ କିଣି ରୋଜଗାର କରୁଥିଲେ। ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଦେଉଥିଲେ। ଏବେ ତାଲାବନ୍ଦ କଟକଣା ଯୋଗୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସନ୍ତୋଷ ଏବଂ ତାଙ୍କ ଭଳି ଏକାଧିକ ଅଟୋଚାଳକଙ୍କ ପରିବାରା।

ରେଶମ ସହରରେ କୋହଳ ହୋଇଛି ତାଲାବନ୍ଦ କଟକଣା। ଅନଲକ୍ ଯୋଗୁ ଆଶା ନେଇ ଅଟୋ ଚାଳକଟିଏ ଅଟୋ ଧରି ଷ୍ଟାଣ୍ଡକୁ ଆସିଲା ବେଳକୁ ଯାତ୍ରୀ ଶୂନ୍। କାରଣ ବସ୍ ବନ୍ଦ, ଟ୍ରେନ୍ ବି ଆଗଭଳି ସେତେଟା ଚାଲୁନାହିଁ। କେବେ କେମିତି ଜଣେ ଦୁଇ ଜଣ ଯାତ୍ରୀ ପାଉଛନ୍ତି ଅଟୋ ଚାଳକ। ସେମାନଙ୍କୁ ଧରି ଗଲାବେଳକୁ ଦାଉ ସାଧୁଛି ତେଲ ଦର। ଏଭଳି ସ୍ଥିତିରେ ଆର୍ଥିକ ସହାୟତା ସହ ରୋଡ୍ ଟ୍ୟାକ୍ସ, ବ୍ୟାଙ୍କ କିସ୍ତି ଆଦି ଉପରେ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ଦାବି କରିଛନ୍ତି କ୍ଷତିଗ୍ରସ୍ତ ଅଟୋ ଚାଳକ।

ରିପୋର୍ଟ: ଜଗନ୍ନାଥ ସାହୁ, ବିଶ୍ୱଜିତ ଆଚାର୍ଯ୍ୟ ଏବଂ ବିବର୍ତ୍ତନ ପଣ୍ଡା

Other Stories