ବିଗୁଡୁ ଥିବା ଛବି ସୁଧାରିବାକୁ ନବୀନ ସରକାରର ପ୍ରୟାସ

ତିନି ତିନି ଥର ଅାକ୍ରମଣ ପରେ ଖାରବେଳଙ୍କୁ ସୁରକ୍ଷା ନେଇ ଡିଜିପିଙ୍କ ସୂଚନା

ଭୁବନେଶ୍ୱର : ବିଗୁଡୁ ଥିବା ଛବି ସୁଧାରିବାକୁ ନବୀନ ସରକାରର ପ୍ରୟାସ। ତିନି ତିନି ଥର ଅାକ୍ରମଣ ପରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇ ଦିଅାଯିବ। ପୁଲିସ୍ ଡିଜି ଅାଜି ଏହି ସୂଚନା ଦେଇଛନ୍ତି।

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶୀପୁରରେ ଅାକ୍ରମଣ। ଗତ ୨୪ ତାରିଖର ଏ ଅାକ୍ରମଣ ପୂର୍ବରୁ କେନ୍ଦ୍ରାପଡ଼ାର ଅାଳି ଓ ବାଲେଶ୍ୱରର ଖଇରାରେ ଅାକ୍ରୋଶର ଶିକାର ହୋଇଥିଲେ। ଖାରବେଳ ତିନି-ତିନି ଥର ଅାକ୍ରମଣ ପରେ ଚେତିଲା ପୁଲିସ। ଭବିଷ୍ୟତରେ ଖାରବେଳ ଯେଉଁଠି ସଭାସମିତି କରିବେ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବ ଏନେଇ ପୁଲିସ୍ ଡିଜି ସବୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସେପଟେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଟିମ୍ କାଶୀପୁର ଯାଇଛି। ଏଣେ ପୁଲିସ୍ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ପି. ଗୋବିନ୍ଦ ରାଓଙ୍କୁ ମଧ୍ୟ ଗିରଫ କରିଛି।

ଗତ ବର୍ଷ କାଶୀପୁରର ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଝିନ ହିକ୍‌କାଙ୍କ ସହ ଅଭିଯୁକ୍ତ ସୁମନ୍ତ ଏକାଠି ଡ୍ୟାନ୍ସ କରୁଥିବାର ଏକ ଭିଡିଓରୁ ନଜର ଆସିଥିଲା। ସେହିପରି ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଥିବା ଏକ ଫଟୋରେ ବିଜେଡି ସାଂସଦ ଏନ୍. ଭାସ୍କର ରାଓ ଓ ବିଜେଡିର ଅନ୍ୟନେତାଙ୍କ ଗହଣରେ ସୁମନ୍ତ ଥିବା ଖାରବେଳ ଅଭିଯୋଗ କରିଛନ୍ତି।

ଏପରିକି ଖାରବେଳ ଦେଇଥିବା ଏତଲାରେ ବିଜେଡିର ନା ନାହିଁ ବୋଲି କହିବା ପରେ ଅାଜି ଖାରବେଳ ପୁଣି କହିଛନ୍ତି ତାଙ୍କୁ ଅାକ୍ରମଣ କରିଥିବା ଯୁବକମାନେ ବିଜେଡିର। ସେପଟେ ଖାରବେଳଙ୍କୁ ଅାକ୍ରମଣ ସଂପର୍କିତ ଖବର ପ୍ରସାରଣ ନେଇ ଭାସ୍କର ରାଓ, ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଖୋଲାଖୋଲି ଧମକ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବରିଷ୍ଠ ବିଧାୟକ ଦାମୋଦର ରାଉତ।

ରାଜ୍ୟରେ ଏବେ ରାଜନୈତିକ ହିଂସା ଓ ଅସହିଷ୍ଣୁତା ବଢ଼ି ଚାଲିଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ବିଜେଡି କହିଛି ଦଳ ହିଂସା ଉପରେ ବିଶ୍ୱାସ କରେ ନାହିଁ।

ସେପଟେ ଖାରବେଳଙ୍କୁ ସୁରକ୍ଷା ଯୋଗାଇ ଦେବା ନିଷ୍ପତ୍ତିରେ କାହିଁକି ବିଳମ୍ବ ହେଲା ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି। କଟାକ୍ଷ କରି ଲେଖିଛନ୍ତି ସମ୍ଭବତଃ ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ମାମଲାର ତଦନ୍ତରେ ଅଧିକ ସଂଖ୍ୟକ ପୁଲିସ୍ ବ୍ୟସ୍ତ ଥିଲେ।

ଖାରବେଳଙ୍କୁ ଅାକ୍ରମଣ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥା ବିରୋଧରେ ବିଜେଡି ସାଂସଦ ଏନ୍.ଭାସ୍କର ରାଓଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି କିଛି ବରିଷ୍ଠ ସାମ୍ବାଦିକ ଏବଂ ଜନପ୍ରତିନିଧି।

You might also like