ଶିଖ୍ ଯୁବକଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍‌ ଅଧିକାରୀଙ୍କ ଅନ୍ଧାରୀ ବିଜେ କାହିଁକି ?

ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ୍ ଯୁବକ ପରବିନ୍ଦର ପାଲ ସିଂହଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳି ଯାଇଥିବାବେଳେ ଅନ୍ୟପଟେ ରାତି ୧ଟାରେ ପରବିନ୍ଦରଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍‌ ଅଧିକାରୀଙ୍କ ପଇଁତରା। ଏହି ଦୁଇ ଘଟଣା ମାମଲାକୁ ଆହୁରି ସଙ୍ଗୀନ କରିଛି।

ଗତକାଲି ରାତିରେ କେଉଁମାନେ ପରବିନ୍ଦରଙ୍କ ଘରକୁ ଆସିଥିଲେ, ତାହାର ସିସିଟିଭି ଭିଜୁଆଲ ହସ୍ତଗତ ହୋଇଛି। ଭିଡିଓରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ପୁଲିସ ଡିଏସ୍‌ପି ଅନୁପ କାନୁନଗୋ ଦେଖା ଯାଉଛନ୍ତି।

ପରବିନ୍ଦର ପାଲ ସିଂହଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, ‘ଆମ ସମସ୍ତେ ଶୋଇଥିଲୁ। ଏହି ସମୟରେ ଗତକାଲି ରାତି ପ୍ରାୟ ୧ଟା ସମୟରେ ବେଲ୍‌ ବାଜିଥିଲା। ୩-୪ ଜଣ ଲୋକ ଆସିଥିବା ଦେଖିବାକୁ ପାଇଥିଲି। ରାତି ଅଧିକ ହୋଇଥିବାରୁ କବାଟ ଖୋଲିବାକୁ ଡର ଲାଗିଥିଲା। ଆଜି ସକାଳେ ସେମାନେ ପୁଣି ଆମ ଘରକୁ ଆସିଥିଲେ ଏବଂ ଡରନି, ଆମେ ତୁମ ସହ ଅଛୁ’ ବୋଲି କହିଲେ।

ତେବେ ବିଧାୟକ ଅନନ୍ତ ଜେନା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କ ଘରକୁ ଯାଇଥିଲେ, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପୁଲିସ୍‌ ଅଧିକାରୀ ଅନୁପ କାନୁନଗୋ ମଧ୍ୟ କାହିଁକି ପରବିନ୍ଦରଙ୍କ ଘରକୁ ଆସିଥିଲେ ତାହା ଏବେ ସନ୍ଦେହ ଘେରକୁ ଆସିଛି।

ସୂଚନାଥାଉ କି, ଦିନ ଦ୍ୱିପ୍ରହରରେ ୩ ଅଭିଯୁକ୍ତ ପରବିନ୍ଦରଙ୍କୁ ପିଟିଥିଲେ। ହେଲେ ଏବେ ସେମାନଙ୍କୁ ଜାମିନ ମିଳିବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନକୁ ନେଇ ପରବିନ୍ଦର ଆଶଙ୍କା ପ୍ରକାଶ କରିଛନ୍ତି। ପୁଲିସ୍‌ ଏମିତି କି ଦଫା ଲଗାଇଲା ଯେ, ରାତି ଅଧିଆ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା  ବୋଲି ସେ ପ୍ରଶ୍ନ କରିଛନ୍ତି।  ପୁଲିସ୍‌ ସାମ୍ନାରେ ତାଙ୍କୁ ମାଡ଼ ମରାଯିବା ସତ୍ତ୍ୱେ ହତ୍ୟା ଉଦ୍ୟମ ଦଫା ଲାଗିନାହିଁ। ଅଭିଯୁକ୍ତଙ୍କୁ ଜାମିନ ମିଳିଥିବାରୁ ପୁଲିସ୍‌ ଉପରେ ଭରସା ପାଉନଥିବା ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରୁଛନ୍ତି ପରବିନ୍ଦର।

ସୂଚନାଥାଉ କି, ପରବିନ୍ଦରଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କୋର୍ଟ ସମସ୍ତଙ୍କୁ ଗତ ରାତିରେ ଜାମିନ ଦେଇଛନ୍ତି।

You might also like