ସାଢ଼େ ୫ ବାଜିଲେ ମହିଳା କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଜାରି ହେଲା ନିର୍ଦ୍ଦେଶନାମା

ସାଢେ ୫ଟା ସୁଦ୍ଧା ଅଫିସ ଛାଡ଼

ଭୁବନେଶ୍ୱର: ଘଣ୍ଟାରେ ସାଢ଼େ ୫ଟା ବାଜିଲା ତ ଅଫିସ୍ ଛାଡ଼ିବାକୁ ପଡ଼ିବ। ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ। ଇଏ କୌଣସି ତାଲିବାନୀ ଶାସିତ ଅଞ୍ଚଳର କଥା ନୁହେଁ ବରଂ ଲୋକସେବା ଭବନର ନିକଟରେ ଥିବା ଇଞ୍ଜିନିୟରିଂ-ଇନ୍-ଚିଫଙ୍କ ଅଫିସରେ ଜାରି ହୋଇଛି ଏଭଳି ନିର୍ଦ୍ଦେଶନାମା। ସମ୍ପୃକ୍ତ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଥିବା ବେଳେ ମହିଳା ସ୍ୱେଚ୍ଛାସେବୀ କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି।

ସଂଧ୍ୟା ପାଞ୍ଚଟା ତିରିଶ ସୁଦ୍ଧା କାମ ସାରି ଅଫିସ୍ ଛାଡ଼। ନିଜ କାମ ଦାୟିତ୍ୱର ସହ କରିବାକୁ ବି ଜାରି ହୋଇଛି ଆଦେଶ। କୌଣସି କାମ ବାକି ରଖ ନାହିଁ। ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସରେ କିଛି ଏମିତି ଭାବରେ ଜାରି ହୋଇଛି ନିର୍ଦ୍ଦେଶନାମା। ଯାହା ଗତକାଲି ଜାରି ହୋଇଛି। ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡିଂ ଇଞ୍ଜିନିୟର କହିଛନ୍ତି। ତେବେ ମହିଳା କର୍ମଚାରୀଙ୍କୁ ସଞ୍ଜ ନଉଁ ନଉଁ ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ଘଟଣା ଅନେକଙ୍କ ଭିତରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଉପରୁ ନିର୍ଦ୍ଦେଶ ଆସିଥିବାରୁ ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି।

ଏଭଳି ଅଜବ ନିର୍ଦ୍ଦେଶନାମାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଅପରାହ୍ଣ ସାଢ଼େ ୫ଟା ପରେ ମହିଳାଙ୍କ ପାଇଁ ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟ କଣ ଅସୁରକ୍ଷିତ କି? ନା ମହିଳାମାନେ ଅଫିସ୍ କାମ ସାରି ବିଳମ୍ବରେ ଘରେ ପହଞ୍ଚିବା ବେଳେ ଅସୁରକ୍ଷିତ ମନେ କରୁଥିବାରୁ ଏଭଳି ନିର୍ଦ୍ଦେଶ ନା ୟା ପଛରେ ମହିଳା କର୍ମଚାରୀମାନେ ବିଳମ୍ବିତ ଅବଧି ଯାଏଁ ଉପସ୍ଥିତ ରହିଲେ ଅଫିସରେ କୌଣସି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ଗୁମର ଖୋଲିଯିବାର ଚିନ୍ତା ରହିଛି ?

ତେବେ ମହିଳା ସ୍ୱେଚ୍ଛାସେବୀଙ୍କ ମତରେ ଏବେ ବି ମହିଳାଙ୍କ ପ୍ରତି ଅନେକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ଆଜି ବି ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖା ଯାଉଛି, ଏଭଳି ନିର୍ଦ୍ଦେଶନାମା ତାର ପ୍ରତିଫଳନ ବୋଲି ସ୍ୱେଚ୍ଛାସେବୀ ମତ ରଖିଛନ୍ତି।

ରାଜ୍ୟର ସରକାରୀ ବ୍ୟବସ୍ଥାରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏଭଳି ଅଜବ ଗଜବ ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ତେବେ କାହିଁକି ଏମିତି ନିର୍ଦ୍ଦେଶନାମା ଜାରି ହୋଇଛି ତାହା ଜଣାପଡିନାହିଁ।

ପ୍ରଶାନ୍ତ ସାହୁଙ୍କ ସହ ଅରିନ୍ଦମ ଦାସ

You might also like