ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଟଙ୍କା

ଇନ୍ଦିରା ଅାବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ: ପଇସା ଦିଅ, ଘର ନିଅ। ପଇସା ନାହିଁ ତ ଘର ବି ନାହିଁ। ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଲେଖାଏଁ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଚଷାପଡ଼ା ଗାଁ’ର ଲୋକେ। ଗାଁର କିଛି ଲୋକ ପଇସା ଦେଇ ନପାରିବାରୁ ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛନ୍ତି। ଅପର୍ତ୍ତୀ ସାହୁ, ଘର ଢେଙ୍କାନାଳ ଚଷାପଡ଼ା ଗାଁରେ। ୬ ପ୍ରାଣୀଙ୍କୁ ନେଇ ଅପର୍ତ୍ତୀଙ୍କ ସଂସାର।

ହେଲେ ତାଙ୍କ ଘରର ଅବସ୍ଥା ଅତି ଦୟନୀୟ। ଇନ୍ଦିରା ଆବାସ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ସେ। ହେଲେ ଛାତ ଘର ଥିବା ଦର୍ଶାଇ ତାଙ୍କୁ ଯୋଜନାରୁ ବାଦ୍ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅପର୍ତ୍ତୀ। କେବଳ ସେତିକି ନୁହେଁ ଘର ପାଇଁ ତାଙ୍କୁ ୨୦ ହଜାର ଟଙ୍କା ମଗାଯାଉଥିବା ବି ସେ କହିଛନ୍ତି।

କେବଳ ଅପର୍ତ୍ତୀ ନୁହନ୍ତି ସୁଲୋଚନା, ମୋତି ସାହୁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଏହି ସମସ୍ୟାକୁ ଅବଗତ କରାଇବା ପାଇଁ ସୁଲୋଚନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ବି ହୋଇଥିଲେ। ପରବର୍ତ୍ତି ସମୟରେ ଘର ପାଇଁ ଅର୍ଡ଼ର ବି ମିଳିଥିଲା, ହେଲେ ଫଳ ଶୂନ୍। ଅପର୍ତ୍ତୀ, ସୁଲୋଚନା ଓ ମୋତି ସାହୁଙ୍କ ଅଭିଯୋଗ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚରାଯାଇଥିଲା। ହେଲେ ପ୍ରକଳ୍ପ ନିର୍ଦ୍ଦେଶକଙ୍କର ଚିରାଚରିତ ଉତ୍ତର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

 

You might also like