ଖାକିରେ ଦାଗ! ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍‌ଆଇ ସସ୍‌ପେଣ୍ଡ୍

ବରଗଡ଼: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍‌ଆଇ ସସ୍‌ପେଣ୍ଡ୍‌। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁରଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। ଗତକାଲି ଏହି ଅଭିଯୋଗ ଆସିବା ପରେ ବରଗଡ଼ ଏସ୍‌ପି ତାଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ, ରିକୁ ନାଗ ତାଙ୍କୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାଙ୍କୁ ଏଏସ୍ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା। ତା’ପରେ ସେ ସେଠାରୁ ପଳାଇଥିଲା। ରାତିରେ ଏଏସ୍‌ଆଇ ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣାରେ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରିଙ୍କୁ ନାଗକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

You might also like