ଢେଙ୍କାନାଳ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ASI ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାପୁର ଫାଣ୍ଡି ASI ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ଓଡ଼ିଶା ପୋଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଓଡ଼ିଶା ପୋଲିସ୍‌କୁ ଟାର୍ଗେଟ୍ କରି ଲେଖାଶ୍ରୀ ଟ୍ୱିଟ୍ କରିଛନ୍ତି ଯେ ରାଜ୍ୟରେ ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ, ହତ୍ୟା, ଆତ୍ମହତ୍ୟାର ସିରିଜ୍ ଘଟଣା ଘଟୁଛି। ଏତେସବୁ ଘଟଣା ପରେ ବି ପୋଲିସ୍‌ର ବିବେକ ତାଙ୍କୁ ଜାଗ୍ରତ କରୁନି। DGP ଖାଲି କ୍ଷମା ମାଗି ଚୁପ୍ ବସିଗଲେ ଚଳିବନି, ଦାୟିତ୍ୱ ନେଇ ଘର ସଜାଡ଼ନ୍ତୁ ବୋଲି ଲେଖାଶ୍ରୀ ଟ୍ୱିଟ୍ କରିଛନ୍ତି।

ମୃତ ନାବାଳିକାଙ୍କ ପରିବାରର ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୁକ୍ତ ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରିଥିଲା। ମାନସିକ ଅଶାନ୍ତିରୁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ।

ଆହୁରି ପଢ଼ନ୍ତୁ

You might also like