• translate
Chandan Shishu

ଭୁବନେଶ୍ୱର: ହୋ ହଲ୍ଲା, ନାରାବାଜି, ପ୍ଳା କାର୍ଡ଼ ପ୍ରଦର୍ଶନ। ପରୀ ପ୍ରସଙ୍ଗରେ ବିଧାନସଭାରେ ଝଡ। ଗୃହ ବାରମ୍ବାର ମୁଲତବୀ ଅଭିଯୁକ୍ତ ବାବୁଲି ନାଏକ ସହ ମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର ଧରି ବିଜେପି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ଆଉ ଏହି ପ୍ରତିବାଦରେ କଂଗ୍ରେସ୍ ବି ସାମିଲ ହୋଇଥିଲା। ବିରୋଧୀଙ୍କ ଗୋଟିଏ ଦାବି ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା। ବିଜେପି କହିଛି ପରୀର ପରିବାର ଲୋକ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତିରେ ପଦୁଟିଏ ବି କହିନାହାନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛି ଦଳ।

ସେପଟେ କଂଗ୍ରେସ ତଦନ୍ତ ପ୍ରଭାବିତ ଆଶଙ୍କା କରି ମନ୍ତ୍ରୀଙ୍କ ଇସ୍ତଫା ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ପାଇଁ ଦାବି କରିଛି। ବିଜେଡି କହିଛି ଏହାକୁ ନେଇ ଅଯଥା ରାଜନୀତି କରାଯାଉଛି, ଆଲୋଚନା ପାଇଁ ଆହୁରି ଅନେକ ପ୍ରସଙ୍ଗ ଅଛି।

 ତେବେ ମନ୍ତ୍ରୀ ଅରୁଣ ସାହୁ ଓ ବିବାଦ କିଛି ନୂଆ କଥା ନୁହେଁ:-

  • ଛବି ବର୍ଦ୍ଧନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅରୁଣଙ୍କ ସଂପୃକ୍ତି ଅଭିଯୋଗ ନେଇ ସେତେବେଳେ ରାଜ୍ୟ ରାଜନୀତିରେ ତମ୍ବି ତୋଫାନ ହୋଇଥିଲା।

  • ଚିଟ୍‌ଫଣ୍ଡ ଦୁର୍ନୀତି ଲିଙ୍କ୍ ରେ ବି ଉଠିଥିଲା ଅରୁଣଙ୍କ ନାଁ।

  • ବମିଖାଲ ଓଭରବ୍ରିଜ ଭୁଶୁଡିବା, ଏହାର ଠିକା ନେଇଥିବା ପଣ୍ଡା ଇନ୍‌ଫ୍ରା କମ୍ପାନୀ ସହ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଅରୁଣ।

  • ବିବାଦୀୟ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛିଦିନ ରହିଥିଲେ ବିବାଦରେ।

  • ନବକଳେବର ବନଯାଗା ଯାତ୍ରା ସମୟରେ ଦଇତାପତିଙ୍କ ଶିବିରରେ ଅରୁଣଙ୍କ ଏହି ଶୟନ ଫଟୋ ତାଙ୍କୁ ବେଶ୍ ଅଡ଼ୁଆରେ ପକାଇଥିଲା।

ତେବେ ସବୁ ପ୍ରସଙ୍ଗରୁ ବେଶ୍ ଚତୁରତାର ସହ ବାହାରି ଆସିବାରେ ସଫଳ ହୋଇଛନ୍ତି ଅରୁଣ। କିନ୍ତୁ ପରୀ ମାମଲା ଏବେ ତାଙ୍କ ତଣ୍ଟିରେ କଣ୍ଟା ସଦୃଶ ଲାଗିରହିଛି। ବିଜେପି ମହିଳା ମୋର୍ଚ୍ଚା ପ୍ରେସ୍‌ମିଟ୍‌ କରି ମନ୍ତ୍ରୀ ପଦରୁ ଅରୁଣଙ୍କ ଇସ୍ତଫା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛି।

ତେଣେ ବିବାଦ ବଢୁଥିବା ଦେଖି ଆଜି ଗୃହରେ ବିବୃତ୍ତି ରଖିଛନ୍ତି। ଅରୁଣ କହିଛନ୍ତି ରାଜନୀତି ନ ହେଉ , ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ କିନ୍ତୁ ବାବୁଲି ନାଏକ ସହ ତାଙ୍କ ସଂପୃକ୍ତି ବିଷୟରେ ପଦୁଟିଏ ବି କହିନଥିଲେ ମନ୍ତ୍ରୀ।

ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଥିବା ଅନେକ ନେତା, ମନ୍ତ୍ରୀ ନବୀନଙ୍କ ପୂର୍ବ ଶାସନ କାଳରେ ବିଦା ହୋଇଛନ୍ତି। ହେଲେ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ବଦଳିଛି କି, ନିର୍ଭର କରୁଛି ଅରୁଣଙ୍କୁ ନେଇ ତାଙ୍କ ନିଷ୍ପତ୍ତି ଉପରେ।

Other Stories