ଆର୍ଯ୍ୟ ସମାଜ ଭଦ୍ରକର ନବବର୍ଷ ପାଳନ

ଭଦ୍ରକ(ପାର୍ଥସାରଥୀ ନାୟକ): ଚୈତ୍ର ଶୁକ୍ଳ ପ୍ରତିପଦା ଜାତୀୟ ନବବର୍ଷ । ଏହି ଦିନ ସୃଷ୍ଟି ରଚନା ଆରମ୍ଭ ହୋଇଥିଲା ବୋଲି ବେଦାନୁକପଳ ଶାସ୍ତ୍ରରେ ପ୍ରମାଣ ଅଛି । ଆମେ ମହାପୁରୁଷଙ୍କ ନାମରେ ବର୍ଷ ପ୍ରଚଳନ କରିଥିଲେ ବି ସୃଷ୍ଟିର ଆଦ୍ୟ ଦିବସର ମହତ୍ୱକୁ ଉପଲବ୍ଧି କରିବା ଉଚିତ ବୋଲି ଆର୍ଯ୍ୟ ସମାଜ, ଭଦ୍ରକ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ। ବେଦ ପ୍ରବକ୍ତା ପଣ୍ଡାତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସ୍ତମ୍ବକାର ଅଭୟ ଦ୍ୱିବେଦୀ ସମାଜ ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ସ୍ୱାଧୀନତା ପାଇଁ ଆର୍ଯ୍ୟ ସମାଜର ଦାନ ସହ ଜାତୀୟ ନବବର୍ଷ ବିଷୟରେ ଆଲୋକପାତ କରିଥିଲେ।

ଆର୍ଯ୍ୟ ସମାଜର ସଂପାଦକ ଲକ୍ଷ୍ମୀଧର ପଣ୍ଡା ଦିବସର ମହତ୍ୱ ପ୍ରକାଶ କରିଥିଲେ ଓ ସଭାପତି ସୁଶୀଳାରାଣୀ ଗୁପ୍ତା ସ୍ୱାଗତ ଭାଷଣ ଦେଇଥିଲେ। ସଭା ପୂର୍ବରୁ ବିଶିଷ୍ଟ ଅତିଥି ସମାଜସେବୀ, ସହିଦ ଭଗତ ସେନାର ଆବାହକ ଶୀତାସୁଂ ଶେଖର ମହାପାତ୍ର ସମାଜ ପାଇଁ ଏକ ନୂତନ ଭବ୍ୟ ଯଜ୍ଞଶାଳା ନିର୍ମାଣ ପାଇଁ ଶାଳାନ୍ୟାସ କରିଥିଲେ ଓ ସମାଜର ସଦସ୍ୟ ଜୀତେନ୍ଦ୍ର ଲେଙ୍କା, ଓମ୍ ପ୍ରକାଶ ସେନାପତି, ପ୍ରିନସ୍ ପ୍ରୀତମ ଲେଙ୍କା, ବୈଦିକ ଭଜନ ପରିବେଷଣ କରିଥିଲେ ଓ ସମିଧା ନାୟକ, ଆର୍ଯ୍ୟ କୁମାର ଦେବଦତ୍ତ ଆର୍ଯ୍ୟ ସମାଜର ୧୦ ନିୟମ ଓ ବିନୟ ପ୍ରାର୍ଥନା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହ ସଂପାଦକ ରବି ନାରାୟଣ ଲେଙ୍କାଙ୍କ ତତ୍ୱାବଧାନରେ ନନ୍ଦ କିଶୋର ସାହୁ, କାଶୀନାଥ ସାହୁ, ରାଜକିଶୋର ସାହୁ ଆଦି ପରିଚାଳନା କରିଥିଲେ। ଉକ୍ତ ସଭାରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନସାଧାରଣ ଯୋଗଦାନ କରିଥିଲେ।

You might also like