ଚଳିତବର୍ଷ କଟକ ବାଲିଯାତ୍ରାରେ କୃତ୍ରିମ ଫୁଲ ସାଜିଛି ଅାକର୍ଷଣ

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଚଟ୍‌ପଟା ଖାଦ୍ୟ ସହ ଘରକରଣା ଜିନିଷ ଏବଂ ଦୋଳିର ମଜା ଉଠାଉଛନ୍ତି ଲୋକେ। ତେବେ ବାଲିଯାତ୍ରାର ଉପର ଏବଂ ତଳ ପଡ଼ିଆରେ ଲାଗିଥିବା ବିଭିନ୍ନ ଦୋକାନ ମଧ୍ୟରୁ କୃତ୍ରିମ ଫୁଲ ଦୋକାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ବିଭିନ୍ନ ରଙ୍ଗର କୃତ୍ରିମ ଫୁଲ ଗ୍ରାହକଙ୍କ ମନ ମୋହିବାରେ ଲାଗିଛି। ତୁଲିପ୍, ଜିନିଆ, ଲିଲି, ଗୋଲାପ ଏମିତି ଅନେକ ପ୍ରକାରର ଫୁଲ ଦେଖିବାକୁ ମିଳିଛି ଚଳିତବର୍ଷ କଟକ ବାଲିଯାତ୍ରାରେ। ଘର ସାଜସଜ୍ଜା ଜିନିଷ ଭାବେ ଏଭଳି ଫୁଲକୁ ଗ୍ରାହକ ବି ବେଶ୍ ପସନ୍ଦ କରୁଛନ୍ତି। ସେପଟେ ପକେଟ୍‌କୁ ସୁହାଇଲା ଭଳି ଦର ଥିବାରୁ ଗ୍ରାହକ ବି ଖୁସ୍।

ସୋଲ, ଅଠା, ନେଟ୍ ଏମିତି ବିଭିନ୍ନ ପ୍ରକାର ଜିନିଷ ମାଧ୍ୟମରେ ପ୍ରସ୍ତୁତ କରାଯାଏ ଏହି କୃତ୍ରିମ ଫୁଲ। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଥିରେ ବିଭିନ୍ନ କୃତ୍ରିମ ରଙ୍ଗର ବ୍ୟବହାର ସହ ଫୁଲର ମହକ ପାଇଁ ଅରୋମା ବି ଦିଆଯାଏ।

ଫୁଲ ଗୁଡିକର ଦାମ୍ ୧୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଯାଏ ରହିଛି। ପଶ୍ଚିମବଙ୍ଗରୁ ଗତ ୨୦ ବର୍ଷ ଧରି ବାଲିଯାତ୍ରାକୁ ଆସୁଛନ୍ତି  ଫୁଲ ବ୍ୟବସାୟୀ। ପଲ୍ଲୀଶ୍ରୀ ମେଳା ଭିତରେ ପ୍ରତ୍ୟେକ ବର୍ଷ ଏମାନେ ନିଜ ନିଜର ଫୁଲ ପସରା ମେଲାଇଥାନ୍ତି। ତେବେ ଚଳିତବର୍ଷ ବାଲିଯାତ୍ରର ୧୦ ଦିନ ହେଉଥିବାରୁ ବେଶ୍‌ ଦିପଇସା ରୋଜଗାରର ଆଶା ରଖିଛନ୍ତି ଫୁଲ ବ୍ୟବସାୟୀ।

You might also like